ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱସ୍ତି

ଏଗ୍ରି-ଷ୍ଟାକ୍ ପଞ୍ଜୀକରଣ ସହିତ ଧାନକିଣାର କୌଣସି ସମ୍ପର୍କ ନାହିଁ

ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ଧାନକିଣା ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୂର କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଗ୍ରି-ଷ୍ଟାକ୍ ପଞ୍ଜିକରଣ ସହିତ ଧାନକିଣା ପାଇଁ ଆବଶ୍ୟକ ହେଉଥିବା ପି-ପାସ୍ ପଞ୍ଜୀକରଣର କୌଣସି ସମ୍ପର୍କ ନାହିଁ । ଏଣୁ ଚାଷୀମାନେ ଏଥିପାଇଁ ଆଦୌ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଧାନ ବିକ୍ରି ପାଇଁ ଏଗ୍ରି-ଷ୍ଟାକ୍ ବାଧ୍ୟତାମୂଳକ ବୋଲି ହେଉଥିବା ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିବା ସହ ଏହି ଦୁଇଟି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଲଗା ବୋଲି ଜଣାଇଛନ୍ତି ।ସେ କହିଛନ୍ତି , ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ପି-ପାସ୍ ବ୍ୟବସ୍ଥା ମାଧ୍ୟମରେ ହିଁ ଚାଷୀଙ୍କ ପଞ୍ଜୀକରଣ କରାଯିବ ଏବଂ ଧାନକିଣା ପ୍ରକ୍ରିୟା ଜାରି ରହିବ ।

ଏଗ୍ରି-ଷ୍ଟାକ୍ କେବଳ ଚାଷୀଙ୍କ ତଥ୍ୟ ସଂଗ୍ରହର ଏକ ମାଧ୍ୟମ ହୋଇଥିବା ବେଳେ ଧାନକିଣା ସମୟରେ ଏହା କୌଣସି ପ୍ରତିବନ୍ଧକ ସାଜିବ ନାହିଁ । ସରକାର ଚାଷୀଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ଯେପରି ସେମାନେ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ସହଜରେ ବିକ୍ରି କରିପାରିବେ । ଚଳିତ ବର୍ଷ ମଧ୍ୟ ପି-ପାସ୍ ପଞ୍ଜୀକରଣ କରି ଚାଷୀମାନେ ସୁବିଧାରେ ଧାନ ବିକ୍ରି କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *