ସରକାରୀ ଜମିରେ ଗଞ୍ଜେଇ ଚାଷ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଏଣିକି ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷରେ ଲାଗିବ ସମ୍ପୂର୍ଣ୍ଣ ରୋକ୍ । ଗଞ୍ଜେଇ ଚାଷ ରୋକିବାକୁ ପ୍ରଶାସନ ପକ୍ଷରୁ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।୨୦୨୫-୨୬ ଫସଲ ଋତୁରେ ଚାଲିଥିବା ଗଞ୍ଜେଇ ନଷ୍ଟ ଅଭିଯାନ ସମୟରେ ଓଡ଼ିଶା ପୋଲିସ୍ ପକ୍ଷରୁ ଉପରୋକ୍ତ ୬ଟି ଚିହ୍ନଟ ଜିଲ୍ଲାର ୪୧ଟି ଥାନା ଅଧୀନରେ ମୋଟ ୩୬,୫୦୮.୭୯୨ ଏକର ଅଞ୍ଚଳରେ ଥିବା ୧,୬୩୧ଟି GPS-ମ୍ୟାପ୍ଡ୍ ଜମି ଖଣ୍ଡରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏଥିମଧ୍ୟରୁ ୬,୬୩୨.୧୯୭ ଏକର ଜମି ସରକାରୀ ରାଜସ୍ୱ ଜମି ବୋଲି ଚିହ୍ନଟ ହୋଇଛି ।ପୂର୍ବ ଫସଲ ଋତୁରେ, ଅର୍ଥାତ୍ ୨୦୨୫ ନଭେମ୍ବରରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଯେଉଁ ସ୍ଥାନଗୁଡ଼ିକରେ ଅବୈଧ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା, ସେସବୁ ସ୍ଥାନର GPS କୋ-ଅର୍ଡିନେଟ୍ ମଧ୍ୟ ପୋଲିସ୍ ବିଭାଗ ପକ୍ଷରୁ ଉପଲବ୍ଧ କରାଯାଇଛି । ଏହି ତଥ୍ୟକୁ ଆଧାର କରି ସମ୍ପୃକ୍ତ ଜମିଗୁଡ଼ିକ ଉପରେ ବ୍ୟବସ୍ଥିତ ଓ ନିରନ୍ତର ନିରୀକ୍ଷଣ କରାଯିବ।
