ମୁଖ୍ୟ ବିଚାରପତିଙ୍କ ବେଞ୍ଚରେ ହେବ ଜରୁରୀ ଶୁଣାଣି

ଓଡ଼ିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା

ଓଡ଼ିଶା ପୋଲିସ୍ ଡିଜି ନିଯୁକ୍ତି ସଂପର୍କିତ ଦାୟର ଏକ ଜନସ୍ବାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏ ସଂପର୍କରେ ଦାୟର PILରେ ଦର୍ଶାଯାଇଛି ଯେ, ଓଡ଼ିଶା ସରକାର DGP ନିଯୁକ୍ତି ସଂପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଚୟନ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ୍ କରୁଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ବେଞ୍ଚ ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ସର୍ବୋଚ୍ଚ କୋର୍ଟରେ ପକ୍ଷ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ବା UPSC ନିକଟକୁ ପଠାଯାଇଥିବା ଅଧିକାରୀଙ୍କ ପ୍ୟାନେଲକୁ ପ୍ରତ୍ୟାହାର କରି ଏବେ ଏକ ସାନି ତାଲିକା ପ୍ରସ୍ତୁତ କରୁଛନ୍ତି। ସେ ଆହୁରି ଯୁକ୍ତି ବାଢିଛନ୍ତି ଯେ, ରାଜ୍ୟ ସରକାର ଦୁଇଜଣ ADG ରାଙ୍କର ପୋଲିସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଇ ତାଙ୍କ ନାଁ UPSC ନିକଟକୁ ପଠାଯିବାକୁ ଥିବା ନୂଆ ପ୍ୟାନେଲରେ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି।ପ୍ରଧାନ ବିଚାରପତି କହିଛନ୍ତି, UPSC ଭଲଭାବେ ଜାଣେ କିଏ ଯୋଗ୍ୟ ଏବଂ କାହାର ନାଁ ବିଚାର କରାଯିବା ଆବଶ୍ୟକ। ତେବେ UPSC ଆମ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ। ଆସନ୍ତା ୧୩ ତାରିଖରେ ଡିଜି ଚୟନ ନେଇ ବସିବ ୟୁପିଏସସି ବୈଠକ ।

Leave a Reply

Your email address will not be published. Required fields are marked *