ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ NSG କମାଣ୍ଡୋର ମକଡ୍ରିଲ୍, ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ହେଲା ଅଭ୍ୟାସ
ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ NSG କମାଣ୍ଡୋର ମକଡ୍ରିଲ୍ । ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ NSG କମାଣ୍ଡୋ ଓ NDRF ଟିମ ପକ୍ଷରୁ ମକଡ୍ରିଲ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ସହ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ମକଡ୍ରିଲ୍ କରାଯାଉଛି । ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା, ଜନଗହଳି ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ବ୍ୟାପକ ମକ୍ ଡ୍ରିଲ୍ କରାଯାଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ପାଇଁ ଏହି ପ୍ରସ୍ତୁତି କରାଯାଇଛି ।ପୁରୀ ରେଳ ଷ୍ଟେସନରେ କୌଣସି ଆତଙ୍କବାଦୀ ଆକ୍ରମଣ କିମ୍ବା ବୋମା ବିସ୍ଫୋରଣ ଭଳି ଜରୁରୀ ପରିସ୍ଥିତିରେ ଯାତ୍ରୀମାନଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ତାର ଅଭ୍ୟାସ କରାଯାଇଛି । ପ୍ରବଳ ଗରମ ବା ଗହଳି ଯୋଗୁଁ କେହି ଅସୁସ୍ଥ ହେଲେ ତାଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ “ଗ୍ରୀନ୍ କରିଡର”ର ମକ୍ ଡ୍ରିଲ୍ କରାଯାଇଛି । ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡ ଆଖପାଖ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ସ୍ପେଶାଲ୍ ସ୍କ୍ୱାଡ୍ ଦ୍ୱାରା ଯାଞ୍ଚ ଅଭ୍ୟାସ କରାଯାଇଛି । ପୁରୀ ଟାଉନ ଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ସମସ୍ତ ବିଭାଗ କିପରି ଏକାଠି କାମ କରିବେ, ତାହା ପରଖା ଯାଇଛି । ଆସନ୍ତା ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ର ଅନୁଷ୍ଠିତ ହେବ ।
