ପ୍ରଧାନମନ୍ତ୍ରୀଙ୍କ ମିଶନ୍ ଇଣ୍ଡୋ-ପାସିଫିକ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ୍ ଇଣ୍ଡୋ-ପାସିଫିକ୍ । ଆଜିଠାରୁ ୬ ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି ପିଏମ୍ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଲକ୍ଷ୍ୟ ଇଣ୍ଡୋ-ପାସିଫିକ ବା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୂଆଦିଲ୍ଲୀର ରଣନୈତିକ ସହଯୋଗକୁ ଆହୁରି ସୁଦୃଢ କରିବା । ପ୍ରଧାନମନ୍ତ୍ରୀ ପ୍ରଥମେ ଇଣ୍ଡୋନେସିଆ ଯିବେ ସେଠାରୁ ଅଷ୍ଟ୍ରେଲିଆ ଏବଂ ଗସ୍ତ ଶେଷରେ ନ୍ୟୁଜିଲାଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି ।ଦକ୍ଷିଣ-ପୁର୍ବ ଏସିଆ ଏବଂ ଓସେନିଆ ଅଞ୍ଚଳର ଏହି ୩ ଦେଶ ଭାରତର ଆକ୍ଟ ଇଷ୍ଟ ନୀତି ଅନୁସାରେ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ମୋଦିଙ୍କ ଏହି ଗସ୍ତ ୩ ରାଷ୍ଟ ସହ ଭାରତର ରଣନୈତିକ, ଅର୍ଥନୈତିକ ଏବଂ ସାମୁଦ୍ରିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ବୋଲି ଆଶା କରାଯାଉଛି। ପ୍ରଥମେ ମୋଦି ଆଜିଠାରୁ ୮ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ରହିବେ । ରାଷ୍ଟ୍ରପତି ପ୍ରାବାବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣ କ୍ରମେ ମୋଦି ଜାକର୍ତ୍ତା ଯାଉଛନ୍ତି । ସେଠାରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୮ ମସିହାରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରଣନୈତିକ ସହଯୋଗ ଆରମ୍ଭ ହୋଇଥିଲା । ଆଉ ମୋଦିଙ୍କ ଏହି ଗସ୍ତରେ ଏହି ସହଯୋଗ ଆହୁରି ସୁଦୃଢ ହେବ ବୋଲି କୁହାଯାଉଛି ।
