ଆରମ୍ଭ ହେଲା ଅମରନାଥ ଯାତ୍ରା
ଜମ୍ମୁ-କଶ୍ମୀରରେ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଦଳ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିବ । ଗୁରୁବାର ସକାଳ ପ୍ରାୟ ୫ଟା ସମୟରେ ଜମ୍ମୁ-କଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରୀଙ୍କ ପ୍ରଥମ ଦଳକୁ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।ଚଳିତ ବର୍ଷ ଯାତ୍ରାରେ ପ୍ରଥମ ଥର ପାଇଁ ବାବାଙ୍କ ଦର୍ଶନ କରିବାକୁ ଆସିଥିବା ଯୁବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ଜମ୍ମୁ-କଶ୍ମୀର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ପ୍ରାୟ ୭୦,୦୦୦ରୁ ଅଧିକ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଜମ୍ମୁ-କଶ୍ମୀରରେ ମୁତୟନ ହୋଇଛନ୍ତି । CRPF ଯବାନ ଏବଂ କୋବ୍ରା କମାଣ୍ଡୋମାନେ ଶ୍ରଦ୍ଧାଳୁଙ୍କ ଗାଡ଼ି ସହ ରହିଛନ୍ତି । ଯାତ୍ରା କରିଥିବା ଶ୍ରଦ୍ଧାଳୁମାନେ ବାଲଟାଲ ଏବଂ ପହଲଗାମ ବେସ୍ କ୍ୟାମ୍ପରେ ପହଞ୍ଚିବା ପରେ, ଶୁକ୍ରବାର ସକାଳୁ ପବିତ୍ର ଶିବଲିଙ୍ଗଙ୍କ ଦର୍ଶନ ପାଇଁ ଆଗକୁ ଯାତ୍ରା ଆରମ୍ଭ କରିବେ ।ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ପଞ୍ଜୀକୃତ ଆରଏଫଆଇଡି କାର୍ଡ ଦିଆଯାଇଛି । ଏହାଦ୍ବାରା ପ୍ରଶାସନ ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀଙ୍କ ଲୋକେସନ ଉପରେ ନଜର ରଖିପାରିବେ । ଯଦି କୌଣସି ଯାତ୍ରୀଙ୍କୁ ରାସ୍ତାରେ କୌଣସି ସମସ୍ୟା ହୁଏ, ତେବେ ତୁରନ୍ତ ସହାୟତା କରାଯାଇପାରିବ ।୫୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଜୁଲାଇ ୩ରୁ ଅନନ୍ତନାଗ ଜିଲ୍ଲା ପାରମ୍ପରିକ ୪୮ କିମି ଲମ୍ବା ନୁନବାନ-ପହଲଗାମ ମାର୍ଗ ତଥା ଗୋନ୍ଦରବଲ ଜିଲ୍ଲାରୁ ୧୪ କିମି ବାଲଟାଲରୁ ଆରମ୍ଭ ହେବ । ଏହି ଯାତ୍ରା ୨୮ ଅଗଷ୍ଟରେ ରକ୍ଷା ବନ୍ଧନରେ ଶେଷ ହେବ ।
