ଭୋର୍ ୫ଟାରୁ ପହଣ୍ଡି, ଦିନ ୧୨ଟାରୁ ଜଳ ବିଜେ

ରାତି ପାହିଲେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା… ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି। ମହାପ୍ରଭୁଙ୍କ ଏହି ଦିବ୍ୟସ୍ନାନର ପ୍ରତ୍ୟକ୍ଷ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ପୁରୀରେ ଜମିଲାଣି ଭକ୍ତଙ୍କ ଭିଡ଼। ସମସ୍ତଙ୍କର ଅପେକ୍ଷା ଆସନ୍ତାକାଲି ଭୋର୍ ସମୟକୁ, ଯେତେବେଳେ ସ୍ନାନବେଦୀରେ ବିଜେ କରିବେ ମହାବାହୂ। ସେପଟେ ଶ୍ରୀଜିଉଙ୍କର ଏହି ଅନନ୍ୟ ଲୀଳା ଦେଖିବାକୁ ସରିଛି ସମସ୍ତ ପ୍ରସ୍ତୁତି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୭୯ ପ୍ଳାଟୁନ୍ ଫୋର୍ସ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍ ଉପରେ ରହିଛି ପ୍ରଶାସନର ଫୋକସ୍। ଠିକ୍ ସମୟରେ ଯେଭଳି ମହାପ୍ରଭୁଙ୍କ ପହଣ୍ଡି ଓ ହାତୀବେଶ ସଂପନ୍ନ ହେବ ସେଥିପାଇଁ ନୀତିକାନ୍ତି ଉପରେ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ଦେବସ୍ନାନ ପୂର୍ଣ୍ଣିମା ଭିଡ଼କୁ ଦେଖି ଆସନ୍ତାକାଲି ପୁରୀ ମହାନଗର ନିଗମରେ ସବୁ ସ୍କୁଲ୍ ବନ୍ଦ ରହିବ।

ବର୍ଷକେ ଥରେ ସ୍ନାନ ମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ। ବର୍ଷସାରା ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଇଥାଏ, କିନ୍ତୁ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ଦିବ୍ୟ ଜଳରେ କରିବେ ସ୍ନାନ। ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ସେପଟେ ଦଇତାପତି ସେବାୟତଙ୍କ ଦ୍ୱାରା ରତ୍ନ ସିଂହାସନ ନିକଟରେ ଚାରମାଳ ବନ୍ଧା କାର୍ଯ୍ୟ ସହିତ ଶ୍ରୀଜିଉଙ୍କ ଦେହରେ ସେନାପଟା ଲାଗି ହୋଇଛି। ଆସନ୍ତାକାଲି ଭୋର୍ ୫ଟାରୁ ୭ଟା ମଧ୍ୟରେ ପହଣ୍ଡି ଏବଂ ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ନୀତି ରହିଛି। ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ରହିଛି ସାହାଣମେଲା ଦର୍ଶନ। ନୀତିକୁ ଶୃଙ୍ଖଳିତ କରି ସଠିକ ସମୟରେ ପହଣ୍ଡି କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ଦିବ୍ୟସ୍ନାନ ପରେ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପରମ୍ପରା ଅନୁଯାୟୀ ରାଘବ ଦାସ ମଠ ପକ୍ଷରୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଲାଗି ଓ ଗୋପାଳ ତୀର୍ଥ ମଠ ତରଫରୁ ଶ୍ରୀବଳଭଦ୍ର, ଶ୍ରୀସୁଦର୍ଶନଙ୍କ ହାତୀ ବେଶ ପ୍ରସ୍ତୁତ କରାଯାଉଛି। ମହାପ୍ରଭୁ ମସ୍ତକରେ ମଣ୍ଡନ କରୁଥିବା ଟାହିଆ ରାଘବ ଦାସ ମଠ ପକ୍ଷରୁ କରାଯାଉଛି।

Leave a Reply

Your email address will not be published. Required fields are marked *