ରାଜ୍ୟର ସମସ୍ତ ଶୈବପୀଠରେ ଗହଳି

ଶିବମୟ ପରିବେଶ, ଶ୍ରାବଣ ଶେଷ ସୋମବାରରେ ସବୁଠି ଗହଳି

ଶ୍ରାବଣ ଶେଷ ସୋମବାରରେ ରାଜ୍ୟର ସବୁ ଶିବମନ୍ଦିରରେ ଭକ୍ତିମୟ ପରିବେଶ । ସମସ୍ତ ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ପବିତ୍ର ଜଳରେ ବାବାଙ୍କୁ ଅଭିଷେକ କରୁଛନ୍ତି କାଉଡ଼ିଆ । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡ଼ିଆମାନେ ଛୁଟି ଆସିଛନ୍ତି ବାବାଙ୍କ ପୀଠକୁ । ଲିଙ୍ଗରାଜ ବାବା, ବାବା ଆଖଣ୍ଡଳମଣି, ଲୋକନାଥ ବାବା, ଚନ୍ଦନେଶ୍ବର ବାବା, ପଞ୍ଜଲିଙ୍ଗେଶ୍ବର ବାବା, କପିଳାସ ବାବାଙ୍କ ପୀଠ ସହ ଅନ୍ୟ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷ ଦୁଇଟି ସୋମବାର ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକମାନେ କହିଥିଲେ । ବାବା ଲିଙ୍ଗରାଜଙ୍କ ପୀଠରେ ଦେଖିବାକୁ ମିଳିଥିଲା କାଉଡ଼ିଆଙ୍କ ଭିଡ଼ । ଦୂର ଦୂରାନ୍ତରୁ ବାବାଙ୍କୁ ଜଳଲାଗି ପାଇଁ ଛୁଟି ଆସିଛନ୍ତି ବାବାଙ୍କ ଭକ୍ତ । ଭକ୍ତଙ୍କ ସୁରକ୍ଷା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରୁଛନ୍ତି ସହସ୍ରାଧିକ କାଉଡିଆ । ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଆସିଛନ୍ତି କାଉଡିଆ । ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ସହିତ ସ୍ବତନ୍ତ୍ର ବ୍ଯାରିକେଟ କରାଯାଇଛି । ଅନ୍ଯପଟେ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ସକାଳଧୂପ ସରିବା ପରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସାହଣମେଲା ରହିଛି ।

ସେହିପରି ନୀଳଗିରର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ଓ ଜଳେଶ୍ବର ଚନ୍ଦନେଶ୍ଵର ଶୈବପୀଠରେ  ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଭିଡ଼ । ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଭୋର ୪ଟାରୁ ଭକ୍ତ ଜଳାଭିଷେକ କରିବା ଆରମ୍ଭ କରିଦେଇଛନ୍ତି ।