ଆଉ ନାହାନ୍ତି ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର

୯୫ ବର୍ଷ ବୟସରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ

ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର । ୯୫ ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।ଜୟନ୍ତ୍ର ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହା ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ।

ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ। ୧୯୬୦ ମସିହା ପରେ ସେ ଲେଖକ ଜୀବନ ଆରମ୍ଭ କରିଥିଲେ। ଇଂରାଜୀ ସାହିତ୍ୟରେ ତାଙ୍କର ଭଲ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ‌ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ। ତେବେ ତାଙ୍କ ବିୟୋଗରେ ସାହିତ୍ଯ ଜଗତରେ ଅପୂରଣୀୟ କ୍ଷତି ହୋଇଛି ।