ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ଆସିଲା ନୂଆ SOPଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ଆସିଲା ନୂଆ SOP
ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ନୂଆ SOP । ଆପାର୍ଟମେଣ୍ଟ କିଣାବିକା ପାଇଁ ଆସିଲା ସହଜ ନିୟମ । ଓଡ଼ିଶାରେ ଆପାର୍ଟମେଣ୍ଟ ବା ଫ୍ଲାଟ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର । ଘର କିଣୁଥିବା ଗ୍ରାହକଙ୍କ ସୁବିଧା ଓ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (SOP) ଜାରି । ‘ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟ, ୨୦୨୩’ ଆଧାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ନୂଆ ଗାଇଡଲାଇନ୍ ପ୍ରକାଶ ପାଇଛି । ପୁରୁଣା ଓ ନୂଆ ନିୟମର ଦ୍ୱନ୍ଦ୍ୱ ଦୂର କରି ସାରା ରାଜ୍ୟରେ ସମାନ ବ୍ୟବସ୍ଥା ଲାଗୁ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସାଧାରଣ ଘର ତୁଳନାରେ ଆପାର୍ଟମେଣ୍ଟ କିଣିବା ପ୍ରକ୍ରିୟା ଭିନ୍ନ ହୋଇଥାଏ ।
ଏଥିରେ ନିଜ ଫ୍ଲାଟ୍ ସହ ଲିଫ୍ଟ, ସିଡ଼ି, ପାର୍କିଂ, ବଗିଚା ଏବଂ କ୍ଲବ୍ ହାଉସ୍ ଭଳି ସାଧାରଣ ସ୍ଥାନର ଅଂଶୀଦାର ମାଲିକାନା ମଧ୍ୟ ମିଳିଥାଏ । ପୂର୍ବରୁ ଏହାର ରେଜିଷ୍ଟ୍ରେସନ ପାଇଁ ଦରକାରୀ କାଗଜପତ୍ରକୁ ନେଇ ଅନେକ ଦ୍ୱନ୍ଦ୍ୱ ଥିଲା, ଯାହାକୁ ଏହି ନୂଆ ନିୟମ ସମ୍ପୂର୍ଣ୍ଣ ସହଜ କରିଦେଇଛି । ଏହା ସମସ୍ତ ଆବାସିକ ଫ୍ଲାଟ୍, ଅଫିସ, ଦୋକାନ, ଶୋ’ରୁମ୍ ଏବଂ ମିଶ୍ରିତ ବ୍ୟବହାର ହେଉଥିବା ବିଲ୍ଡିଂ ଉପରେ ଲାଗୁ ହେବ । ୮ଟି କିମ୍ବା ତା’ଠାରୁ ଅଧିକ ୟୁନିଟ୍ ଥିବା ବଡ଼ ପ୍ରକଳ୍ପ ସହ ଛୋଟ ପ୍ରକଳ୍ପ ମଧ୍ୟ ଏହାର ପରିସରଭୁକ୍ତ ହେବ। ତେବେ ଏହା ଏକକ ସ୍ୱାଧୀନ ଘର କିମ୍ବା ସମ୍ପୂର୍ଣ୍ଣ ସରକାରୀ ବିଲ୍ଡିଂ ପାଇଁ ଲାଗୁ ହେବନାହିଁ । କୌଣସି ବି ସେଲ୍ ଡିଡ୍ ରେଜିଷ୍ଟ୍ରେସନ ହେବା ପୂର୍ବରୁ କର୍ତ୍ତୃପକ୍ଷ ଯେପରିକି ବିଏମସି ଅଧିକାରୀ, ଡେଭଲପମେଣ୍ଟ ଅଥରିଟି କିମ୍ବା ସବ୍-କଲେକ୍ଟର ସମସ୍ତ କାଗଜପତ୍ର ଯାଞ୍ଚ କରି ଅଫିସିଆଲ୍ ଅନୁମୋଦନ ଦେବେ ।
ବିଲ୍ଡରମାନଙ୍କୁ ପ୍ରକଳ୍ପକୁ RERA ଅଧୀନରେ ପଞ୍ଜୀକୃତ କରିବା, ଅକ୍ୟୁପାନ୍ସି ସାର୍ଟିଫିକେଟ୍ ଆଣିବା, ଆପାର୍ଟମେଣ୍ଟ ମାଲିକମାନଙ୍କର ଏକ ଆସୋସିଏସନ ଗଠନ କରିବା ଓ କମନ ଏରିଆର ମାଲିକାନା ସେହି ଆସୋସିଏସନକୁ ହସ୍ତାନ୍ତର କରିବା ବାଧ୍ୟତାମୂଳକ ହେବ । ତେବେ ପୂର୍ବରୁ ବିକ୍ରି ହୋଇସାରିଥିବା ଫ୍ଲାଟ୍ ଗୁଡ଼ିକର ପୁନଃ-ବିକ୍ରି ପାଇଁ ପୁରୁଣା ସେଲ୍ ଡିଡ୍ ଓ ଚେନ୍ ଡକ୍ୟୁମେଣ୍ଟ ଯଥେଷ୍ଟ ହେବ । ଅପରପକ୍ଷରେ, ଅଧାରୁ ଅଧିକ ୟୁନିଟ୍ ବିକ୍ରି ହୋଇସାରିଥିବା ପୁରୁଣା ପ୍ରକଳ୍ପର ଅବଶିଷ୍ଟ ଅଣ-ବିକ୍ରିତ ଫ୍ଲାଟ୍ ପାଇଁ ବିଲ୍ଡରମାନଙ୍କୁ କିଛିଟା ସ୍ୱତନ୍ତ୍ର କୋହଳ ବ୍ୟବସ୍ଥା ଦିଆଯାଇଛି । ଆପାର୍ଟମେଣ୍ଟର ବଜାର ମୂଲ୍ୟ କିମ୍ବା ବିକ୍ରି ମୂଲ୍ୟ ଯେଉଁଠି ଅଧିକ ଥିବ ତା’ ଉପରେ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଲାଗିବ । ମହିଳା କ୍ରେତାମାନଙ୍କ ପାଇଁ ସରକାର ଷ୍ଟାମ୍ପ ଡ୍ୟୁଟି ଉପରେ ୧ ପ୍ରତିଶତ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି । ସାଧାରଣ ସ୍ଥାନ ବା କମନ ଏରିଆକୁ ଆସୋସିଏସନ ନାମରେ ହସ୍ତାନ୍ତର କରିବା ପାଇଁ ଅତି କମ୍ ଫିସ୍ ଧାର୍ଯ୍ୟ କରାଯାଇଛି। ଏହି ନୂଆ SOP ଦ୍ବାରା ‘ସୁଯୋଗ’ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ଦ୍ରୁତ ଏବଂ ସ୍ୱଚ୍ଛ ହେବ । ଗ୍ରାହକମାନେ ସ୍ପଷ୍ଟ ମାଲିକାନା ଅଧିକାର ପାଇବେ । ଯାହାଦ୍ୱାରା ଭବିଷ୍ୟତରେ କୌଣସି ଆଇନଗତ ବିବାଦ ସୃଷ୍ଟି ହେବନାହିଁ । ସାରା ଓଡ଼ିଶାରେ ସରକାରୀ ଅଧିକାରୀମାନେ ଗୋଟିଏ ନିୟମ ଅନୁସରଣ କରିବେ, ଫଳରେ ଗ୍ରାହକ ହଇରାଣ ହେବେନାହିଁ ।
