ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
ଭତ୍ତା ବନ୍ଦକୁ ନେଇ ଓଡ଼ିଶା ରାଜନୀତି ଗରମ ! । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଭତ୍ତା ନମିଳିବାରୁ ମୃତ୍ୟୁ ଅଭିଯୋଗ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ରାଜ୍ୟରେ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟର ପ୍ରାୟ ୧୮ ଲକ୍ଷ ଗରିବ ଓ ଅସହାୟ ଲୋକଙ୍କୁ ବିଗତ ୩ ମାସ ହେବ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଏହାକୁ ସରକାରଙ୍କ ବଡ଼ ବିଫଳତା ବୋଲି ଦର୍ଶାଇବା ସହ ତୁରନ୍ତ ଏହାର ସମାଧାନ ପାଇଁ ସେ ଦାବି କରିଛନ୍ତି ।ନବୀନ ପଟ୍ଟନାୟକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନେ ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ଭତ୍ତା ଉପରେ ନିର୍ଭର କରନ୍ତି । ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ଅନେକ ପରିବାର ଦୁର୍ଦ୍ଦଶା ଏବଂ ଅନାହାର ସ୍ଥିତିକୁ ଠେଲି ହୋଇଯାଇଛନ୍ତି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସାବିତ୍ରୀ ଡୋରା ନାମକ ଜଣେ ମହିଳା ଭତ୍ତା ନପାଇ ମୃତ୍ୟୁବରଣ କରିଥିବା ଭଳି ଏକ ଦୁଃଖଦ ଘଟଣାକୁ ସେ ଚିଠିରେ ଦୋହରାଇଛନ୍ତି । ସରକାର ସଫ୍ଟୱେୟାର୍ ଜନିତ ସମସ୍ୟାର ଦର୍ଶାଉଥିବା ବେଳେ ନବୀନ ଏହାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, “କୌଣସି ବୈଷୟିକ ତ୍ରୁଟି ଆଳରେ ଗରିବ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ ।
