ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ ଅନୁଭୂତ
ଫିଲିପାଇନ୍ସର ମିଣ୍ଡାନାଓ ରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୮ ରହଛି । ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୩୭ ମିନିଟରେ ଏହି ଭୂମିକମ୍ପ ଘଟିଥିଲା । ଏହାର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳର ବୁରିଆସ୍ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଛି । ଭୂମିଠାରୁ ଏହାର ଗଭୀରତା ପ୍ରାୟ ୧୦ରୁ ୫୫ କିଲୋମିଟର ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ଭୂମିକମ୍ପ ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର ସମ୍ପୃକ୍ତ ସଂସ୍ଥାମାନଙ୍କ ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଥିଲା । ଉପକୂଳବର୍ତ୍ତୀ ଅଞ୍ଚଳରେ ୧ ମିଟରରୁ ଅଧିକ ଉଚ୍ଚତାର ସୁନାମି ଲହରୀ ଆସିବାର ସମ୍ଭାବନା ଥିବାରୁ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା । ଜାପାନ, ତାଇୱାନ, ପାପୁଆ ନିଉ ଗିନି ଏବଂ ଗୁଆମ ପରି ଅନ୍ୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମଧ୍ୟ ସୁନାମି ସମ୍ପର୍କିତ ସତର୍କ ସୂଚନା ଦିଆଯାଇଥିଲା ।
