ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷର ହେବ ବାଣିଜ୍ୟ ଚୁକ୍ତି

ମୋଦିଙ୍କୁ ଭଲ ବନ୍ଧୁ କହିଲେ ଟ୍ରମ୍ପ

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ଧରଣର ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମ୍ଭାବନାକୁ ନେଇ ଦୃଢ଼ ଆଶା ପ୍ରକଟ କରିଛନ୍ତି । ଗୁରୁବାର ଦିନ ହ୍ୱାଇଟ୍ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ସେ ଏହି ସୂଚନା ଦେଇଛନ୍ତି ।ଦୁଇ ଦେଶ ମଧ୍ୟରେ ବଦଳୁଥିବା ବ୍ୟାପାରିକ ସମୀକରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସୁଦୃଢ଼ ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ଏହି ଚୁକ୍ତି ସଫଳ ହେବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଭାରତ ଆମେରିକାରୁ ଫାଇଦା ଉଠାଉଥିଲା।

ସେମାନେ ଆମ ଉପରେ ପ୍ରବଳ ଶୁଳ୍କ ଲଗାଉଥିଲେ ଏବଂ ନିଜେ କିଛି ଦେଉନଥିଲେ। କିନ୍ତୁ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟି ଯାଇଛି ଏବଂ ଆମେ ଭାରତ ସହିତ ବ୍ୟାପାର କରି ଭଲ ରୋଜଗାର କରୁଛୁ।ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ଆମେ ଦୁହେଁ ଏକ ସହମତିରେ ନିଶ୍ଚୟ ପହଞ୍ଚିବୁ, କାରଣ ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପସନ୍ଦ କରେ। ସେ ମୋର ଜଣେ ଭଲ ବନ୍ଧୁ ଏବଂ ଆମ ଭିତରେ ସମ୍ପର୍କ ଖୁବ୍ ଚମତ୍କାର। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ଶୁଳ୍କ ବିବାଦ ଏବଂ ବଜାର ପ୍ରବେଶ ଭଳି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବାଣିଜ୍ୟ କାରବାରରେ ଭାରତର ପଲ୍ଲା ଭାରୀ ରହିଥିଲେ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ଏହା ଅଧିକ ସନ୍ତୁଳିତ ହେବାରେ ଲାଗିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *