ଆଜିଠୁ ପୁରୀରେ ବସିବ ‘BRICS’ ବିପର୍ଯ୍ୟୟ ପରିଚାଳନା ବୈଠକ
ବିଶ୍ୱ ଦରବାରରେ ଓଡ଼ିଶା ମଡେଲ୍ । ଆଜିଠୁ ପୁରୀରେ ବସିବ ‘BRICS’ ବିପର୍ଯ୍ୟୟ ପରିଚାଳନା ବୈଠକ। “ପୁରୀରେ ଏକାଠି ହେବେ ୧୧ ଦେଶର ପ୍ରତିନିଧି!। ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା। ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା ଓଡ଼ିଶା ପାଇଁ ଆଉ ଏକ ଗର୍ବର ବିଷୟ। ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଆଜି ଅର୍ଥାତ୍ ଜୁନ୍ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ବ୍ରିକ୍ସ’ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପୁରୀର ପ୍ରସିଦ୍ଧ ‘ତାଜ୍ ପୁରୀ ରିସର୍ଟ ଆଣ୍ଡ ସ୍ପା’ଠାରେ ଏହି ହାଇ-ପ୍ରୋଫାଇଲ୍ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ଦେଶ ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ସହିତ ସହଯୋଗୀ ଦେଶ ଭାବେ ୟୁଏଇ , ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ସାମିଲ ହେବେ।
ଚଳିତ ବର୍ଷର ବୈଠକ “ନୂତନତା, ସହଯୋଗ ଏବଂ ସ୍ଥାୟୀତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ” ବିଷୟବସ୍ତୁ ଉପରେ ଆଧାରିତ। ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସ୍ଥାନୀୟ ସମୁଦାୟ ଭିତ୍ତିକ ସତର୍କ ସୂଚନା ପ୍ରଣାଳୀ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯିବ।
