ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି ସରକାର

୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ

ମେକ୍ ଇନ୍ ଇଣ୍ଡିଆକୁ ବଡ଼ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଏବେ ଭାରତରେ ଫାଇଟର ଜେଟ୍ ତିଆରି ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି । ଏହା ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବ, ଯାହା ମଧ୍ୟରୁ ୯୪ ଟି ଭାରତରେ ତିଆରି କରାଯିବ ।ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିଗ୍ରହଣ ଶାଖା ଗତ ସପ୍ତାହରେ ଫରାସୀ ଅଧିକାରୀମାନଙ୍କୁ ଏହି ଚିଠି ପଠାଇଛି। ଏହି ଚୁକ୍ତି ଅନୁଯାୟୀ ଭାରତରେ ୯୪ଟି ଫାଇଟର ଜେଟ୍ ତିଆରି କରାଯିବ । ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଫ୍ରାନ୍ସ ପକ୍ଷରୁ ଏହି ଅନୁରୋଧ ପତ୍ରର ଉତ୍ତର ମିଳିବାର ସମ୍ଭାବନା ରହିଛି । ଆଗାମୀ ଏକ ବର୍ଷ ମଧ୍ୟରେ ଉଭୟ ପକ୍ଷ ଆଲୋଚନା ଶେଷ କରି ଏହି ସୌଦାକୁ ଚୂଡ଼ାନ୍ତ ରୂପ ଦେଇପାରନ୍ତି । ଆସନ୍ତା ଜୁନ୍ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ସେଠାରେ ଫ୍ରାନ୍ସ ନେତୃତ୍ୱଙ୍କ ସହ ହେବାକୁ ଥିବା ବୈଠକରେ ଏହି ରାଫେଲ ଚୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଏଥିସହିତ ଭାରତ ଯୁଦ୍ଧ ବିମାନ ସ୍କ୍ବାର୍ଡନର ଘୋର ଅଭାବର ସମ୍ମୁଖୀନ ହେଉଛି ଏବଂ ଏହାକୁ ସମାଧାନ କରିବାକୁ ୪.୫ ଜେନେରେସନ୍ ପ୍ଲସ ରାଫେଲ ବିମାନ ସାମିଲ କରାଯାଉଛି । ଭାରତୀୟ ବାୟୁସେନା ଏବଂ ନୌସେନା ପ୍ରଥମରୁ ୬୨ଟି ରାଫେଲ ବିମାନ ଅର୍ଡର କରିସାରିଛନ୍ତି । ୧୧୪ଟି ରାଫେଲ୍ ଅର୍ଡରର ଏହି ସଂଖ୍ୟା ୧୭୬କୁ ବୃଦ୍ଧି କରିବ । ଭାରତୀୟ ନୌସେନା ସାମୁଦ୍ରିକ ବିପଦର ମୁକାବିଲା ପାଇଁ ୩୧ ଟି ରାଫେଲ୍ ବିମାନ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁଛି । ଫଳରେ ଦେଶର ମୋଟ୍ ରାଫେଲ ବିମାନ ସଂଖ୍ୟା ୨୦୦ରୁ ଅଧିକ ହୋଇଯିବ ।

Leave a Reply

Your email address will not be published. Required fields are marked *