ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକ

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର । ରଥଯାତ୍ରା ସହ ସ୍ନାନଯାତ୍ରା,ବାହୁଡ଼ା ଯାତ୍ରା ପାଇଁ ବି ନୀତି ନିର୍ଘଣ୍ଟକୁ ମୋହର । ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ କମିଟି ବୈଠକରେ ମୋହର ବାଜିଛି । ସଅଳ ଦ୍ୱାର ଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ ଦିଆଯାଇଛି । ନୀଳାଦ୍ରି ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ଯୁଗ୍ମ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି । ସ୍ନାନଯାତ୍ରା,ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀ ନେଇ ଅନେକ ପରାମର୍ଶ ମଧ୍ୟ ଆସିଛି ।ଜୁନ ୫ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେହି ପ୍ରସ୍ତାବ ଉପରେ ଆଲୋଚନା ହେବ । ପ୍ରଶାସନିକ ବ୍ୟବସ୍ଥା,ସୁରକ୍ଷା ବ୍ୟବସ୍ଥା,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱାରୋପ ଦିଆଯାଇଛି । ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସହଯୋଗ ଲୋଡ଼ା ଯାଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଜୁନ ୨୯ ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଜୁଲାଇ ୧୪ ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ।ଜୁଲାଇ ୧୬ ରେ ରଥଯାତ୍ରାରେ ସକାଳ ୯ଟା ହେବ ରଥ ପ୍ରତିଷ୍ଠା । ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ଜୁଲାଇ ୨୪ ରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଏସପି ପ୍ରତୀକ ସିଂହ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *