ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଲଦାଖର ତାଙ୍ଗସେରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଲଦାଖର ଦୁର୍ଗମ ପାହାଡ଼ିଆ ଅଞ୍ଚଳ ତାଙ୍ଗସେରେ ଘଟିଛି ବଡ଼ ଅଘଟଣ। ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ସେନାର ଏକ ଚିତା ହେଲିକପ୍ଟର। ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେନାର ୩ ଅଧିକାରୀ। ହେଲିକପ୍ଟରରେ ଥିଲେ ଜଣେ ମେଜର ଜେନେରାଲ୍ ସମେତ ଦୁଇ ଜଣ ଅଫିସର। ଗତ ୨୦ ତାରିଖରେ ଲେହ ନିକଟ ଟାଙ୍ଗସେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା।ଏହି ଦୁର୍ଘଟଣାରେ ମେଜର ଜେନେରାଲ୍ ସଚିନ ମେହେତା, ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ମେଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସିଙ୍ଗଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ଚିତା ହେଲିକପ୍ଟରକୁ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ମେଜର ପାଇଲଟ୍ କରୁଥିଲେ। ସେମାନଙ୍କ ସହ ଯାତ୍ରୀ ଭାବେ ଥିଲେ ୩ ଇନଫାଣ୍ଟ୍ରି ଡିଭିଜନର ଜେନେରାଲ୍ ଅଫିସର କମାଣ୍ଡିଂ ମେଜର ଜେନେରାଲ୍ ସଚିନ ମେହେତା। ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଉଡ଼ାଣ ବେଳେ ଚିତା ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ତେବେ କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ଭାରତୀୟ ସେନା। ଦୀର୍ଘ ଦିନ ଧରି ଉଚ୍ଚ ପାହାଡ଼ିଆ ଓ ସୀମାନ୍ତ ଅଞ୍ଚଳରେ ଚିତା ଓ ଚେତକ ହେଲିକପ୍ଟର ବ୍ୟବହାର କରୁଛି ଭାରତୀୟ ସେନା। କିନ୍ତୁ ପୁରୁଣା ଫ୍ଲିଟ୍ ହୋଇଥିବାରୁ ଗତ କିଛି ବର୍ଷରେ ଏପରି ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *