ପଶ୍ଚିମବଙ୍ଗ ଭୋଟରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଭିନନ୍ଦନ

ବେଙ୍ଗଲରେ ୧୫୨ରୁ ୧୧୦ରୁ ଅଧିକ ଆସନ ବିଜେପି ଜିତିବା ନେଇ ଶାହଙ୍କ ଭବିଷ୍ୟବାଣୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସର୍ବକାଳୀନ ରେକର୍ଡ ମତଦାନ ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଶୁକ୍ରବାର କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଏହି ପ୍ରଚଣ୍ଡ ମତଦାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନର ଅନ୍ତ ଏବଂ ବିଜେପିର ଏକ ସୁନିଶ୍ଚିତ ବିଜୟର ସଙ୍କେତ।ଶାହଙ୍କ ଆକଳନ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୫୨ଟି ଆସନ ମଧ୍ୟରୁ ବିଜେପି ଏକାକୀ ୧୧୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି, ଯାହାକି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ଦଳକୁ ସରକାର ଗଢ଼ିବା ପାଇଁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇବ। ଏଥିସହ ମେ ୫ ତାରିଖ ପରେ ”ଅଙ୍ଗ, ବଙ୍ଗ ଏବଂ କଳିଙ୍ଗ” ଅର୍ଥାତ୍ ସମଗ୍ର ପୂର୍ବ ଭାରତରେ ପଦ୍ମ ଫୁଟିବ ବୋଲି ସେ ଏକ ବଡ଼ ରାଜନୈତିକ ଭବିଷ୍ୟବାଣୀ କରିଛନ୍ତି ।

ବେଙ୍ଗଲର ଜନସାଧାରଣ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକାଶର ପଥ ବାଛି ନେଇଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟରୁ ହିଁ “ଦିଦି”ଙ୍କ ବିଦାୟ ଘଣ୍ଟି ବାଜି ସାରିଛି ବୋଲି ଗୃହମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ଚାଲିଥିବା ତୁଷ୍ଟିକରଣ, ଦୁର୍ନୀତି, ଅନୁପ୍ରବେଶ ଓ ହିଂସାର ଶାସନକୁ ସମାପ୍ତ କରି ଏକ ”ଭୟମୁକ୍ତ ବେଙ୍ଗଲ” ଗଠନ କରିବା ବିଜେପିର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ବିରୋଧୀଙ୍କ ”ବାହାର ଲୋକ” ଆକ୍ଷେପକୁ ଜବାବ ଦେଇ ଶାହ ସ୍ପଷ୍ଟ କରିଛନ୍ତି ଯେ, ବେଙ୍ଗଲର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ମାଟିର ପୁଅ ହେବେ, ଯିଏ ବଙ୍ଗଳା ଭାଷାରେ ସୁଦକ୍ଷ ହୋଇଥିବେ। ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଆଗାମୀ ସରକାରରେ କୌଣସି “ପୁତୁରା” ନୁହେଁ ବରଂ ଜଣେ ସାଧାରଣ ବିଜେପି କର୍ମୀ ହିଁ ଶାସନ ଗାଦିରେ ବସିବେ।

Leave a Reply

Your email address will not be published. Required fields are marked *