ମମତାଙ୍କ ଜଙ୍ଗଲରାଜ୍ ଖୁବ୍ ଶୀଘ୍ର ଶେଷ ହେବ: ମୋଦୀ
ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ହୋଇଛି। ଆସନ୍ତା ୨୯ ତାରିଖରେ ଏଠାରେ ମତଦାନ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାଲି କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ମମତା ମଧ୍ୟ ତୃଣମୂଳ କଂଗ୍ରେସ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଦମ୍ଦମ୍ରେ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ସରକାରକୁ ମହିଳା ବିରୋଧୀ ବୋଲି କହିଛନ୍ତି।
ଗତକାଲି ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ବିପୁଳ ଭୋଟଦାନ ଗଣତନ୍ତ୍ରର ବିଜୟ ଓ ନିର୍ବାଚନ ପ୍ରକ୍ରିୟାରେ ଲୋକଙ୍କ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ମୋଦୀ କହିଥିଲେ। ଏହି ବିପୁଳ ମତଦାନ ପଶ୍ଚିମବଙ୍ଗରେ ଟିଏମ୍ସିର ମହାଜଙ୍ଗଲରାଜ୍ ଶେଷ କରିବାର ସଙ୍କେତ ଦେଉଛି ବୋଲି ମୋଦୀ ନିର୍ବାଚନୀ ସଭାରେ କହିଛନ୍ତି। ଟିଏମ୍ସି ଦଳ ଗୁଣ୍ଡାଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ମୋଦୀ ଅଭିଯୋଗ କରିବା ସହିତ ମେ ୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ଟିଏମ୍ସି ଗୁଣ୍ଡା ଲୁଚିବାକୁ ସ୍ଥାନ ପାଇବେ ନାହିଁ ବୋଲି କହିଥିଲେ।
ମୋଦୀ ଏହି ନିର୍ବାଚନୀ ସଭାରେ ଆରଜି କର ହସ୍ପିଟାଲ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କ ସହିତ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ।ମୋଦୀ କହିଥିଲେ, ମେ ୪ ଫଳାଫଳ ପରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କଲେ ସମସ୍ତ ଅତ୍ୟାଚାର ଓ ଅନ୍ୟାୟର ଫାଇଲ ଖୋଲାଯିବ। ପଶ୍ଚିମବଙ୍ଗର ନୂଆ ସରକାର ସମସ୍ତ ଭୁଲର ହିସାବ ନେବ ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ। ପଶ୍ଚିମବଙ୍ଗରେ ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବାବେଳେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଏହା କାର୍ଯ୍ୟକାରୀ କରାଯିବ। ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ। ପଶ୍ଚିମବଙ୍ଗର ନାରୀ ଶକ୍ତି ଏକବିଂଶ ଶତାବ୍ଦୀରେ ନୂଆ କାହାଣୀ ଲେଖିବେ ବୋଲି ମୋଦୀ କହିଥିଲେ।
