ମହିଳାଙ୍କ ଋତୁସ୍ରାବ ଛୁଟି ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
ମହିଳାମାନଙ୍କ ପାଇଁ ଋତୁସ୍ରାବକାଳୀନ ଛୁଟି ଆବେଦନକୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ବାଧ୍ୟତାମୂଳକ ଋତୁସ୍ରାବ ଛୁଟି ମହିଳାମାନଙ୍କ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଯଦି ଆମେ ଏପରି ଆଇନ କରୁ ତେବେ ନିଯୁକ୍ତିଦାତାମାନେ ମହିଳାମାନଙ୍କୁ ନିଯୁକ୍ତି ଦେବେ ନାହିଁ। ସେମାନେ ତାଙ୍କୁ ଭିନ୍ନ ଦୃଷ୍ଟିକୋଣରେ ଦେଖିବେ। ଏଭଳି ଆଇନ କର୍ମଜୀବୀ ମହିଳାମାନଙ୍କ ମଧ୍ୟରେ ମାନସିକ ଭୟ କିମ୍ବା ପୁରୁଷଙ୍କ ତୁଳନାରେ ସେମାନେ ‘କମ୍’ ବୋଲି ସଙ୍କେତ ଯିବ। ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ ଚେତାବନୀ ଦେଇ କହିଥିଲେ, ଆପଣ ନିଯୁକ୍ତିଦାତାଙ୍କ ମାନସିକତା ଜାଣି ନାହାନ୍ତି। ସଚେତନତା ଓ ସମ୍ବେଦନଶୀଳତା ଭିନ୍ନ କଥା। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆପଣ ଋତୁସ୍ରାବ ଛୁଟିକୁ ବାଧ୍ୟତାମୂଳକ କରିବେ, ତା ପରବର୍ତ୍ତୀ ସ୍ଥିତି କର୍ମଜୀବୀ ମହିଳାଙ୍କ ପାଇଁ ଭଲ ହେବ ନାହିଁ।
