ପୁରୀରେ ପାଖାପାଖି ୪ ଲକ୍ଷ ଲୋକ ଏକାଠି ହେବାର ଆକଳନ

ନୂଆବର୍ଷରେ ପୁରୀ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ

ନୂଆବର୍ଷରେ ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଯାଉଥିବାରୁ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଭିସି ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପୁରୀରେ ପାଖାପାଖି ୪ ଲକ୍ଷ ଲୋକ ଏକାଠି ହେବାର ଆକଳନ କରାଯାଉଛି। ଏଥିପାଇଁ ୬୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ସୂଚନା ଅନୁଯାୟୀ, ନୂଆବର୍ଷରେ ପୁରୀରେ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ପ୍ରମୁଖ ଆହ୍ବାନ ରହିଛି। ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ଚଳପ୍ରଚଳ ହେବାକୁ ଥିବାରୁ ସୁରକ୍ଷା ସମୀକ୍ଷା କରାଯାଇଛି। ଫୋର୍ସଙ୍କ ସମେତ ୧୦ ଜଣ ଅତିରିକ୍ତ ଏସ୍‌ପି, ୩୩ ଜଣ ଡିଏସ୍‌ପି, ୩୦୦ ପୁଲିସ କର୍ମଚାରୀ ସାମିଲ ହେବେ।ଅତ୍ୟାଧୁନିକ ସିସି କ୍ୟାମେରା ଲଗାଯିବ। ଆସନ୍ତା ୨୯ ତାରିଖରୁ ଏହି ବ୍ୟବସ୍ଥା କରାଯିବ। ଏହା ସହିତ ସମୁଦ୍ର କୂଳରେ ଓଡ୍ରାଫ୍ ସମେତ ଏସ୍‌ଟିଏଫ୍ ୟୁନିଟ୍ ମୁତୟନ କରାଯିବ। ଏମାନେ ଉପକୂଳ ସୁରକ୍ଷାକୁ ପ୍ରାଧାନ୍ୟ ଦେବେ। ଗାଡ଼ି ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପୁରୀ ଏସ୍‌ପି ପ୍ରତୀକ ସିଂହ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।