ଉପନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆପଡ଼ା ଗସ୍ତ

ନୂଆପଡା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା । ନୂଆପଡ଼ା ଗସ୍ତ କରି ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ .ଏସ୍ . ଗୋପାଳନ ଓ ଅତିରିକ୍ତ ଡିଜପି ତଥା ରାଜ୍ୟ ପୋଲିସ ନୋଡାଲ ଅଫିସର ସଂଜୟ କୁମାର। ତାଙ୍କ ସହ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ହୋଇଥିଲା।ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ସହିତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଏବଂ ସି-ଭିଜିଲରେ ପ୍ରାପ୍ତ ଅଭିଯୋଗଗୁଡିକର ତତ୍କାଳ ସମାଧାନ ପାଇଁ ୨୪ ଘଣ୍ଟିଆ ସହାୟତା କେନ୍ଦ୍ରର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉପନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ନିରପେକ୍ଷ ଓ ନିଷ୍ଠାପର ଭାବରେ ଦାୟିତ୍ଵ ନିର୍ବାହ କରି ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।ନିର୍ବାଚନ ସମୟରେ ମତଦାତାଙ୍କୁ ଅର୍ଥ, ନିଶାଦ୍ରବ୍ୟ, ଶାଢ଼ୀ ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟନ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହିତ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଫିସରମାନଙ୍କ ତାଲିମ୍ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କ ସହିତ ମତ ବିନିମୟ କରିଥିଲେ ।