ନୂଆଖାଇ ପାଇଁ ସବୁଆଡେ ପ୍ରସ୍ତୁତି

ମାଆ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ ବା ସରିଆ ଧାନ । ମାଆଙ୍କ ଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଞ୍ଚଳରୁ ଆସିଛି ମୁଖ୍ୟ ପୂଜକଙ୍କ ନିକଟକୁ ।ଆଉ ଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ l ଏଥିପାଇଁ ସବୁଆଡେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଜି ମାଆ ସମଲେଶ୍ୱରୀଙ୍କ ନିକଟକୁ ବଲବସପୁରରୁ ନୂତନ ଧାନ ମାଆଙ୍କ ନିକଟରେ ପହଞ୍ଚିଛି । ବଲବସପୁରର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି ଏହି ସରିଆ ଧାନ । ଏହି ନୂଆ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ । ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଏହି ସ୍ୱତନ୍ତ୍ର ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି । ୧୨ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି । ତେବେ ଆଜି ଏହି ଧାନ ଆଣି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି ।ମାଆଙ୍କ ମୁଖ୍ୟ ପୂଜକ ଏହି ଧାନ ପାଇବା ପରେ ବହୁ ଆଦର ସହକାରେ ଏହାକୁ ଗ୍ରହଣ କରିଛନ୍ତି । ଆସନ୍ତା ୨୮ ତାରିଖ ନୂଆଖାଇ ସମୟରେ ମାଆଙ୍କ ଠାରେ ଏହି ଧାନରୁ ପ୍ରସ୍ତୁତ ହେବ ମାଆଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ । ଯାହା ନୂଆଖାଇ ସମୟରେ ଭୋଗ ଲାଗିଥାଏ । ସେପଟେ ଏହି ଧାନ କେବଳ ମାଆଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ ବୋଲି କୁହାଯାଏ ।