ସର୍ଚ୍ଚ ଅପରେସନରେ ୨୬ ଅଭିଯୁକ୍ତ ଗିରଫ,୧୬୫ ଦେଶୀ ବନ୍ଧୁକ ଜବତ

ଶିମିଳିପାଳରେ ବଡ ସର୍ଚ୍ଚ ଅପରେସନ !


ଶିମିଳିପାଳ ସୁରକ୍ଷା ଦିଗରେ ପୋଲିସକୁ ବଡ ସଫଳତା , ସର୍ଚ୍ଚ ଅପରେସନ ବେଳେ ୨୬ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏନେଇ ସମୀକ୍ଷା କରିଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂସଲ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନ ୧୦ଟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପୁଲିସ ଓ ବନବିଭାଗର ମିଳିତ ସମୀକ୍ଷା କରିଥିବା ଦେଖିବାକୁ ମିଳିଛି ।ଶିମିଳିପାଳ ଅଭୟାରଣ୍ୟରେ ଅବାଧ  ଶିକାର ରୋକିବା ପାଇଁ ତଥା ନିୟୋଜିତ ଦୁଇ ବନ କର୍ମଚାରୀଙ୍କ ହତ୍ୟା ପରେ ଜୁନ ୧୮ ତାରିଖରୁ ପୁଲିସ ପକ୍ଷରୁ ଶିମିପାଳକୁ ଶିକାର ଓ ଶିକାରୀ ମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।

୪ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ସାମିଲ ଥିବା ଦେଖିବାକୁ ମିଳିଛି। ସେହିପରି ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ମୟୂରଭଞ୍ଜ ପୁଲିସର ଏହି ସଫଳତାକୁ ଡିଜିପି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।