ଗୁଗଲ୍ ଓ ମେଟାକୁ ଇଡି ନୋଟିସ୍
ଗୁଗଲ୍ ଓ ମେଟାକୁ ଇଡି ନୋଟିସ୍ । ଅନ୍ଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗଲ୍ ଓ ମେଟାକୁ ଇଡି ନୋଟିସ୍ ପଠାଇଛି । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ଜାରି ହୋଇଛି ନୋଟିସ୍ । ଉଭୟଙ୍କୁ ଜୁଲାଇ ୧୨ରେ ହାଜର ହେବା ପାଇଁ ଇଡି ସମନ କରିଛି । ଅନ୍ଲାଇନ୍ ବେଟିଂ ଆପ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଇଡି ସମନ କରିଛି । ମହାଦେବ ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ହଜାର ହଜାର କୋଟି ଟଙ୍କାର ବେଆଇନ କାରବାରର ତଦନ୍ତ ପରିସରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଗଲ୍ ଏବଂ ମେଟାର ପ୍ଲାଟଫର୍ମଗୁଡିକରେ ଏହି ବେଆଇନ ବେଟିଂ ଆପ୍ଗୁଡ଼ିକର ବ୍ୟାପକ ବିଜ୍ଞାପନ କରାଯାଉଥିଲା । ଏହି ଆପ୍ଗୁଡ଼ିକ ନିଜର ପ୍ରଚାର ପାଇଁ ଡିଜିଟାଲ୍ ମାର୍କେଟିଂ ଉପରେ ବହୁଳ ଭାବରେ ନିର୍ଭରଶୀଳ ଥିଲେ । ତଦନ୍ତରୁ ଜଣାପଡିଛି ଯେ ଏହି ବେଟିଂ ପ୍ଲାଟଫର୍ମଗୁଡ଼ିକ ଭାରତରେ ନିଜର ବ୍ୟବସାୟର ପ୍ରସାର ପାଇଁ ବିଜ୍ଞାପନ ବାବଦରେ ପ୍ରାୟ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ବିପୁଳ ପରିମାଣର ଅର୍ଥର ଏକ ବଡ଼ ଅଂଶ ଗୁଗଲ୍ ଏବଂ ମେଟାକୁ ବିଜ୍ଞାପନ ଶୁଳ୍କ ଭାବରେ ଦିଆଯାଇଥିବା ଇଡି ସନ୍ଦେହ କରୁଛି । ତେଣୁ, ଇଡି ଏହି କମ୍ପାନୀଗୁଡ଼ିକଠାରୁ ଜାଣିବାକୁ ଚାହୁଁଛି ଯେ ଏହି ବିଜ୍ଞାପନଗୁଡ଼ିକ ପାଇଁ ସେମାନଙ୍କୁ କେତେ ଟଙ୍କା ଏବଂ କେଉଁ ମାଧ୍ୟମରେ ଦିଆଯାଇଥିଲା । ଏହି ଅର୍ଥ କାରବାରର ସମ୍ପୂର୍ଣ୍ଣ ବିବରଣୀ ହାସଲ କରିବା ହିଁ ଇଡିର ମୁଖ୍ୟ ଉଦ୍ଦେଶ୍ୟ ।
