ରାଜ୍ୟରେ ଆଜିଠୁ ଗଡ଼ିବ ସବୁ ଘରୋଇ ବସ୍
ଆଜିଠୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ ବସ୍ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ। ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁରୀରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ବସ୍ ଚାଳଚଳ କରୁଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବସ୍ ଯାତ୍ରୀମାନଙ୍କର ଚାହିଦା ପୂରଣ କରିପାରେ ନାହିଁ। ଏହି କାରଣରୁ ଯାତ୍ରୀମାନେ ଘରୋଇ ବସ୍ ଉପରେ ନିର୍ଭରଶୀଳ। ଅପରପକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୩୧୪ଟି ବ୍ଲକକୁ ପ୍ରାୟ ୧୭,୦୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଦୈନିକ ଚଳାଚଳ କରିଥାଏ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ହେଉ ବା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାକୁ ହେଉ ଯାତ୍ରୀମାନେ ଘରୋଇ ବସ୍ରେ ଅଧିକ ନିର୍ଭର କରିଥାନ୍ତି। ଘରୋଇ ବସ୍ ଚଳାଚଳ ବନ୍ଦ ହୋଇଯିବା ଦ୍ବାରା ଯାତ୍ରୀମାନଙ୍କୁ ବହୁ ହଇରାଣ ହେବାକୁ ପଡୁଛି। କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ। ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେଉ ମାଲିକ କ୍ଷତି ସହୁଛନ୍ତି। ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ।
