ପୁରୀ ଅଘଟଣ ସ୍ଥଳରେ ଅନୁଧ୍ୟାନ କଲେ ପୋଲିସ ଡିଜି

ମୋବାଇଲରେ ଫଟୋ ନେବାରୁ ହୋଇଛି ସମସ୍ୟା: ଡିଜିପି

ପୁରୀ ଅଘଟଣ ସ୍ଥଳରେ ଅନୁଧ୍ୟାନ କଲେ ପୋଲିସ ଡିଜି । ବରିଷ୍ଠ ଅଧିକାରୀଙ୍କ ସହ ଯାଇ ଘଟଣା ସ୍ଥଳରେ ଅନୁଧ୍ୟାନ କରିଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ଡିଜିପି କହିଛନ୍ତି ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍ ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି । ଶରଧାବାଲିରେ ଠେଲାପେଲା ଦଳାଚକଟାରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଛି । ପ୍ରାୟ ୧୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ପହୁଡ଼ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା । ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ବୋଝେଇ ଟ୍ରକ ଭିଡ଼ ଭିତରେ ପଶିଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ସେହି କାଠ ଉପରେ ପଡ଼ିଯାଇଥିଲେ ଭକ୍ତ । ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ତିନି ଜଣ ହେଲେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଓ ବାଲିପାଟଣା ଅଞ୍ଚଳର ପ୍ରଭାତୀ ଦାସ। ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ମିଳିଛି । ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀ ନଥିଲେ ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଘଟଣାସ୍ଥଳରେ ପୋଲିସ ଡିଜି ପହଞ୍ଚି ସମୀକ୍ଷା କରିଛନ୍ତି ।