୩ ତାରିଖ ଯାଏଁ ପ୍ରବଳ ବର୍ଷା

୩୦ରେ ପୁଣି ଏକ ଲଘୁଚାପ

ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଥିବା ଲଘୁଚାପ ବଳୟ ଧୀରେ ଧୀରେ ଅସ୍ପଷ୍ଟ ହୋଇଛି। ଅନ୍ୟପଟେ ଆସନ୍ତା ୨୯ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ଉପକୂଳ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ବିକଶିତ ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ‌କ୍ଷେତ୍ର ସେହି ସମାନ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବର୍ତ୍ତମାନର ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଲାଗି ରହିଥିବା ବେଳେ ଆଜି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ତାରିଖ ଦିନ ରାଜ୍ୟରେ ବର୍ଷା ଅନୁପାତ ସାମାନ୍ୟ କମିବ। ଏହାପରେ ୩୦ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୩୦ ଓ ୧ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷିବ ଏବଂ ୩ ତାରିଖ ଯାଏଁ ବର୍ଷା ଲାଗିରହିବ। ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ।