ଆଜି ମହାପ୍ରଭୁଙ୍କ ଅଣସରର ତ୍ରୈୟୋଦଶୀ ତିଥି

ଆଜି ହେବ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୈୟୋଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୈୟୋଦଶୀରେ ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର , ଖଳିଲାଗି ନୀତି ଓ ଖଡ଼ି ପ୍ରସାଦ ଲାଗି ହେବ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ । ଆଜି ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ ।

ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ । ଏଥିପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ । ଗୋପନୀୟତା ରକ୍ଷା କରି ଦଇତାପତି ଓ ପତିମହାପାତ୍ର ସେବକମାନେ ଏକ ସ୍ୱତନ୍ତ୍ର ଶୈଳିରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ । ଏହି ଖଳିକୁ ଶୁଦ୍ଧ ସୁଆର ମାନେ ନିଜନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ,ଛତା ସହ ଡକାରା ଯାଇଥାଏ। ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ନିମନ୍ତେ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ଶ୍ରୀମନ୍ଦିରକୁ ବିଜେ କରାଇବେ ।