ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍, ତଦନ୍ତ କରିବ ଏନ୍ଆଇଏ
ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିବା ୫ ଟନ୍ ବିସ୍ଫୋରକ ମାମଲାର ତଦନ୍ତଭାର ନେବ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ)। ଏହି ବଡ଼ଧରଣର ବିସ୍ଫୋରକ ଲୁଟ୍ ମାମଲାରେ ଏକ ବଡ଼ ଷଡ୍ଯନ୍ତ୍ରର ଗନ୍ଧ ଥିବାରୁ ଏନ୍ଆଇଏ ଏହାର ତଦନ୍ତ କରିବ। ଏଥିପାଇଁ ଏନ୍ଆଇଏ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଆବେଦନ କରାଯାଇଛି। ଏହି ମାମଲା ଏବେ ଓଡ଼ିଶା ପୁଲିସ ହାତରେ ରହିଛି। ସୁନ୍ଦରଗଡ଼ ଏସ୍ପିଙ୍କ ତତ୍ତ୍ବାବଧାନରେ ମାମଲାର ତଦନ୍ତ ଚାଲିଛି। ଏନ୍ଆଇଏ ମଧ୍ୟ ନିଜ ଆଡ଼ୁ ତଦନ୍ତ କରିଛି। ତେବେ ପୂରା ତଦନ୍ତଭାର ନେବା ଲାଗି ଏନ୍ଆଇଏ ପକ୍ଷରୁ କୋର୍ଟରେ କେସ୍ ରେକର୍ଡ ଦାଖଲ କରାଯାଇଛି। ଏନ୍ଆଇଏ ପକ୍ଷରୁ ହୋଇଥିବା ଆବେଦନ ଅନୁସାରେ ଏହା ଏକ ସଙ୍ଗିନ ମାମଲା। ଏଥିରେ ଦେଶ ବିରୋଧୀ ବଡ଼ ଷଡ୍ଯନ୍ତ୍ରର ସୁରାକ ମିଳିଛି। ଲୁଟ୍ ପରେ ଏତେ ପରିମାଣର ବିସ୍ଫୋରକ କୌଣସି ଆତଙ୍କବାଦୀ ସଂଗଠନ ହାତକୁ ଯିବାର ଥିଲା। ତେଣୁ ମାମଲାର ଗମ୍ଭୀରତା ଦୃଷ୍ଟିରୁ ଏନ୍ଆଇଏ ସମ୍ପୂର୍ଣ୍ଣ ତଦନ୍ତ ଦାୟିତ୍ବ ନେବ। ଏବେ ଓଡ଼ିଶା ପୁଲିସ ମାମଲାର ତଦନ୍ତ ଜାରି ରଖିଛି ଏବଂ ବିସ୍ଫୋରକ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ୍ଙ୍କୁ ଗିରଫ କରିଛି।
