ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରି ହେଲେ ‘ମିସ୍ ୱାର୍ଲ୍ଡ ୨୦୨୫’
ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ମିସ୍ ଥାଇଲାଣ୍ଡ । ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସ୍ରିଙ୍କୁ ବିଜେତା ଘୋଷଣା କରାଯାଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିଲା ମିସ୍ ୱାର୍ଲଡ କାର୍ଯ୍ୟକ୍ରମ । ବିଶ୍ବରୁ ସୁନ୍ଦରୀଙ୍କୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସୁଚାତା ଚୁଆଙ୍ଗସ୍ରି ୨୦୦୩ ମସିହାରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ । ମିସ୍ ୱାର୍ଲ ପୂର୍ବରୁ ମିସ୍ ଥାଇଲାଣ୍ଡ ଟାଇଟଲ ତାଙ୍କ ନାଁରେ ରହିଛି। ଥାଇଲାଣ୍ଡର ପ୍ରଥମ ମହିଳା ଭାବେ ସୁଚାତା ଚୁଆଙ୍ଗସ୍ରି ମିସ୍ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ସୁଚାତା ଚୁଆଙ୍ଗସ୍ରିଙ୍କ ପରିବାର ପ୍ରାଇଭେଟ ବିଜନେସରେ ଜଡ଼ିତ ।ସୁଚାତା ଚୁଆଙ୍ଗସ୍ରିଙ୍କ ଜନ୍ମ ୨୦ ସେପ୍ଟେମ୍ବର ୨୦୦୩ରେ ଥାଇଲାଣ୍ଡରେ ହୋଇଥିଲା। ସୁଚାତା ଚୁଆଙ୍ଗସ୍ରି ‘ମିସ୍ ୟୁନିଭର୍ସ ୨୦୨୪’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଥାଇଲାଣ୍ଡର ପ୍ରତିନିଧିତ୍ୱ କରିଥିଲେ । ସେତେବେଳେ ସେ ତୃତୀୟ ରନର୍ସଅପ୍ । କାଜୋନକିଏତ୍ସୁକ୍ସା ସ୍କୁଲରୁ ସେ ପାଠ ପଢ଼ା ସମାପ୍ତ କରିଛନ୍ତି । ସେ ପଲିଟିକ୍ସ ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ଡିଗ୍ରୀ ହାସଲ କରିଛନ୍ତି ।
‘ମିସ୍ ୱାର୍ଲ୍ଡ ୨୦୨୫’ର ମୁକୁଟ ପିନ୍ଧିବା ସମୟରେ ସୁଚାତା ମଞ୍ଚ ଉପରେ ଭାବପ୍ରବଣ ହୋଇ ପଡ଼ିଥିଲେ । ସେ ଏକ ସିଲଭର୍ ବଡି ଫିଟେଡ୍ ଗାଉନ୍ ପିନ୍ଧିଥିବା ନଜର ଆସିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସୁଚାତା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ହାତ ଯୋଡିଥିଲେ । ଏହି ସମୟରେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ସେପଟେ ଭାରତର ନନ୍ଦିନୀ ଗୁପ୍ତା ଟପ୍ ୮ରେ ବି ପହଞ୍ଚିପାରି ନାହାନ୍ତି । ମୁମ୍ବାଇରେ ମିସ୍ ୱାର୍ଲଡର ୭୧ ତମ ସଂସ୍କରଣ ସଫଳତାର ସହ ଆୟୋଜନ ପରେ ଭାରତ ପୁଣି ଥରେ ହାଇଦ୍ରାବାଦରେ ୭୨ ତମ ସଂସ୍କରଣ ଆୟୋଜନ କରି ଇତିହାସ ସୃଷ୍ଟି କରିଛି । ସୁଚାତାଙ୍କୁ ଗତ ବର୍ଷର ମିସ୍ ୱାର୍ଲଡ କ୍ରିଷ୍ଟିନା ଓପେଲା ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି ।
