ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ବିଦେଶୀ ସମଗ୍ରୀ ବର୍ଜନ କରିବା: ନରେନ୍ଦ୍ର ମୋଦି

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଗୁଜରାଟ ୨ ଦିନିଆ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଗାନ୍ଧୀ ନଗରରେ ବିଶାଳ ରୋଡ ଶୋ କରିଛନ୍ତି । ଅପରେସନ ସିନ୍ଦୂରର ସଫଳତା କହିବା ସହ ସେନାର ପ୍ରଂଶସା କରିଛନ୍ତି । ଗୁଜରାଟରୁ ପୁଣି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ମୋଦି । ମୋଦି କହିଛନ୍ତି, ଆକ୍ରମଣ ଛୋଟ ହେଉ କି ବଡ ସବୁ ଆକ୍ରମଣର ମୁହଁତୋଡ ଜବାବ ଦିଆଯିବ । ପ୍ରଧାନମନ୍ତ୍ରୀ ଆଜି ଗୁଜରାଟ ନଗର ଉନ୍ନୟନର ୨୦ ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ଗାନ୍ଧୀନଗରରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନକୁ ଉଚିତ ଜବାବ ଦେଇ କହିଥିଲେ ଯେ ଏହା ଏକ ପ୍ରକ୍ସି ଯୁଦ୍ଧ ନୁହେଁ, ତୁମେ ପ୍ରକୃତରେ ଯୁଦ୍ଧ କରୁଛ । ଆତଙ୍କବାଦୀମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଉଛି ପାକିସ୍ତାନ । ଯଦି ଆପଣ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ଅଧ୍ୟୟନ କରିବା ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଜମ୍ମୁ ଓ କଶ୍ମୀରର ନଦୀଗୁଡ଼ିକ ଉପରେ ନିର୍ମିତ ବନ୍ଧଗୁଡ଼ିକୁ ସଫା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଶରୀର ଯେତେ ସୁସ୍ଥ ଥିଲେ ମଧ୍ୟ କଣ୍ଟା ପଶିଥିଲେ ବିନ୍ଧେ, ତେବେ ସମଗ୍ର ଶରୀର ଅସ୍ଥିର ରହିଥାଏ । ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ସେହି କଣ୍ଟାକୁ ଦୂର କରିବୁ । ଦେଶବାସୀଙ୍କୁ ଅପିଲ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୂର ପାଇଁଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ କାମ କରିବାକୁ ହେବ । ଆପଣମାନେ ଘରକୁ ଯାଇ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ସକାଳୁ ସନ୍ଧ୍ୟା ଯାଏଁ କେଉଁ ବିଦେଶୀ ଜିନିଷକୁ ବ୍ୟବହାର କରୁଛନ୍ତି, ତାହାର ତାଲିକା କରନ୍ତୁ । ଘରେ ହେୟାରପିନ୍, ଟୁଥପିକ୍ ମଧ୍ୟ ବିଦେଶୀ । ଆମକୁ ଦେଶକୁ ବଞ୍ଚାଇବାକୁ ହେବ, ଦେଶକୁ ପ୍ରସ୍ତୁତ କରିବାକୁ ହେବ । ଅପରେସନ ସିନ୍ଦୂର ସୈନିକଙ୍କ ଦାୟିତ୍ବ ନୁହେଁ, ୧୪୦ କୋଟି ଦେଶବାସୀଙ୍କ ଦାୟିତ୍ବ ମଧ୍ୟ । ତେଣୁ ବିଦେଶୀ ଜିନିଷ ଉପରେ ନିର୍ଭର କରନ୍ତୁ ନାହିଁ । ନିଜର ବ୍ରାଣ୍ଡ ମେଡ ଇନ୍ ଇଣ୍ଡିଆ ଉପରେ ଗର୍ବ କରିବା ଉଚିତ । ଆତଙ୍କୀ କାର୍ଯ୍ୟକଳାପର ସାମାନ୍ୟ ସୁରାକ ମିଳିବା ମାତ୍ରକେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।