ଭାରତ ଫେରିଲା ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା
ଭାରତ ଫେରିଛି ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା। ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରାଯାଇ ସ୍ୱତନ୍ତ୍ର ବିମାନରେ ଅଣାଯାଇଛି। ତହବୁରକୁ ସାଙ୍ଗରେ ନେଇ ଭାରତ ଆସିଛନ୍ତି NIA ଓ RAWର ଏକ ମିଳିତ ଟିମ୍। ତିହାର ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ତହବୁରକୁ ରଖାଯିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଥିଲେ। ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିବା ଫଳରେ ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା ଭାରତ ଫେରିବାର ବାଟ ପରିଷ୍କାର ହୋଇଥିଲା। ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର ତହବୁର ରାଣା କାନାଡାରେ ବ୍ୟବସାୟ କରୁଥିଲା । ୨୦୦୮ରେ ଭାରତର ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ପ୍ରମୁଖ ଭୂମିକା ନିଭାଇଥିଲା । ତେଣୁ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଏହି ପାକିସ୍ତାନ ଆତଙ୍କବାଦୀ । ଆମେରିକା କୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ପହଞ୍ଚିବା ପରେ ତହବୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହବୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ।
