ଆଜି ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି
ଆଜି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଦ୍ୱିତୀୟ କିସ୍ତିର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ୨୫ ହଜାର ମହିଳା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଏହାପୂର୍ବରୁ ୬ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କୁ ସହାୟତା ରାଶି ଦିଆଯାଇଛି। ଏହାକୁ ମିଶାଇ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ । ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର । ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ସୁଭଦ୍ରା ଏକ ନିରନ୍ତର ଯୋଜନା ଯେଉଁମାନେ ୬୦ ଛୁଇଁବେ ସେମାନେ ବାଦ ପଡିବେ । ତଥ୍ୟ ଭତ୍ତା ପାଇଁ ସାମାଜିକ ସୁରକ୍ଷା ବିଭାଗକୁ ପଠାଯିବ । ସେହିପରି ୨୧ ଛୁଇଁଲେ ଆବେଦନ କରିପାରିବେ । ଗତବର୍ଷ ଅକ୍ଟୋବର ୧୭ ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
