ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମୁଣ୍ଡ ପିଛା ଖାଦ୍ୟର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। ଏଥିସହ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଅଂଶ ପ୍ରଦାନ କରନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପିଛା ୭ଟଙ୍କା‌ ୬୪ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ପିଲାଙ୍କ ପିଛା ୧୦ ଟଙ୍କା ୯୪ ପଇସା ପ୍ରଦାନ କରାଯାଉଛି। ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପ୍ରଦାନ କରା‌ଗଲେ ଅତିରିକ୍ତ ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ। ଏବାବଦରେ ରାଜ୍ୟ ସରକାରଙ୍କର ବାର୍ଷିକ ୬୪୬ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।