ପାଣ୍ଡିଆନଙ୍କ ଗୁମର ଖୋଲିଦେଲା ରୁବେନ ବାନାର୍ଜୀଙ୍କ ବହି
ରୁବେନ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତିରେ ବଡ଼ ହଲଚଲ । ରୁବେନ ବାନାର୍ଜୀଙ୍କ ବହି ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା । କିଭଳି ଭିକେ ପାଣ୍ଡିଆନ ବିଜେଡିକୁ ନିଜ ଅକ୍ତିଆରରେ ରଖିଥିଲେ । କିପରି ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ଏହି ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପ୍ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ । ଆଉ ଏହି ବହିକୁ ନେଇ ଏବେ ବିଜେଡି ଭିତରେ କନ୍ଦଳ ଦେଖାଦେଇଛି । ନେତାଙ୍କ ମଧ୍ୟରେ ବୟାନ ବାଜି ଦେଖିବାକୁ ମିଳିଛି । ପୁସ୍ତକରେ ଏଭଳି ଏକ ଚାପ୍ଟର ଅଛି ଯାହା ବେଶ ଚର୍ଚ୍ଚାରେ । ଯାହାର ନାଁ ହେଉଛି ପାଣ୍ଡିଆନ ପଜଲ୍ । ନବୀନ ଓ ବିଜେଡି ଉପରେ କିପରି ପାଣ୍ଡିଆନ୍ଙ୍କର ପ୍ରଭାବ ପଡିଛି ତା ଉପରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।
ପାଣ୍ଡିଆନ୍ କିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ନେଇ କୋଟେରୀ ଗଠନ କରି ଶାସନ କଳକୁ ଅକ୍ତିଆର କରିବା ସହ ନିର୍ବାଚନ ପରିଚାଳନା କରୁଥିଲେ । ୨୦୧୯ରେ ପାଣ୍ଡିଆନ୍ ନିର୍ବାଚନ ପରିଚାଳନା କରୁଥିବା ବେଳେ ୨୦୨୪ରେ ନିଜେ ପ୍ରଚାରକୁ ଓହ୍ଲାଇଥିଲେ ଆଉ ଅଫିସରଙ୍କୁ ଭୁବନେଶ୍ୱର କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ଦେଇଥିଲେ । ଯାହା କି ବିଜେଡି ପରାଜୟର ବଡ଼ କାରଣ ବୋଲି ରୁବେନ୍ ଲେଖିଛନ୍ତି । ୨୦୧୮ ବେଳକୁ ପାଣ୍ଡିଆନଙ୍କ ପ୍ରଭାବ ବିଜେଡ଼ି ଉପରେ ଅଧିକ ପଡିଥିଲା । ଯାହାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ । ସେହିପରି ପୂର୍ବତନ ମନ୍ତ୍ରୀ ଓ ବିଜେପି ନେତା ସମୀର ରଞ୍ଜନ ଦାଶ ମଧ୍ୟ ପାଣ୍ଡିଆନଙ୍କ କୋଟେରୀର ପ୍ରାଦୁର୍ଭାବକୁ ସ୍ୱୀକାର କରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡି ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଥିଲା । କିନ୍ତୁ କେବଳ ପାଣ୍ଡିଆନଙ୍କୁ ଛାଡ଼ିଦେଲେ ଆଉ କେହି ମଇଦାନରେ ନଥିଲେ । ପ୍ରଚାର ସଭା ମଞ୍ଚରେ ପାଣ୍ଡିଆନଙ୍କ ଛଡ଼ା ଅନ୍ୟ କୌଣସି ଜନ ପ୍ରତିନିଧି ରହୁନଥିଲେ । ଏହାସହ ବିଜେପି ସହିତ କିପରି ମେଣ୍ଟ କରିବାକୁ ପାଣ୍ଡିଆନ୍ ବାରମ୍ବାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟୁଥିଲେ ତାହା ରୁବେନ୍ ନିଜ ବହିରେ ଲେଖିଛନ୍ତି । ସେପଟେ ମେଣ୍ଟ ଏକ ପ୍ରକାର ସ୍ଥିର ଥିବାବେଳେ ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରୀୟ କମିଟିକୁ ବୁଝାଇଥିଲେ ମେଣ୍ଟ ନକରିବାକୁ ।
ଲୋକ ମତ ବଦଳୁଛି, ଯଦି ମେଣ୍ଟ ହୁଏ ତେବେ କଂଗ୍ରେସ ଓଡ଼ିଶାରେ ଫାଇଦାରେ ରହିବ ବୋଲି ରାଜ୍ୟ ନେତୃତ୍ୱ ଜିଦି କରିବା ପରେ ମେଣ୍ଟ ଚର୍ଚ୍ଚା ଥମି ଥିଲା । ସେହିପରି ନବୀନଙ୍କ ଭଉଣୀ ସ୍ୱର୍ଗତ ଗୀତା ମେହେଟ୍ଟା ଚିକିତ୍ସାଧିନ ଅବସ୍ଥାରେ ପାଖ ଲୋକଙ୍କୁ ପଚାରୁଥିଲେ ଯେ ପାଣ୍ଡିଆନ୍ ଭ୍ରମିତ କରୁନାହାନ୍ତି ତ ନବୀନଙ୍କୁ । ଅର୍ଥାତ ପାଣ୍ଡିଆନଙ୍କ ଉପରେ ଗୀତା ମେହେଟ୍ଟାଙ୍କ ସନ୍ଦେହ ଥିଲା । ରାଜ୍ୟ ରାଜନୀତିର ଏଭଳି ଆହୁରି ଅନେକ ଗୁମର କଥା ରୁବେନ ବାନାର୍ଜୀ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।