ଆସୁଛି ବଡ ଲଘୁଚାପ, ପ୍ରବଳ ଛେଚିବ !

ରାଜ୍ଯରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଗତକାଲି ମାଲକାନଗିରିରେ ପ୍ରବଳ ବୃଷ୍ଟିପାତ ହୋଇଥିବା ଫଳରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି । ଆଗାମୀ ୨୨ତାରିଖ ଯାଏଁ ଏହି ସ୍ଥିତି ବଜାୟ ରହିଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ତେଣୁ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ଅଛି । ସେହିପରି ୨୪ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ୧୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଓ ୧୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆଗାମୀ ଲଘୁଚାପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହି ସମୟରେ କଚା ଘରେ ନ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆକଳନ କରାଯାଉଛି ।