ଯାଜପୁରକୁ କାହିଁକି ଯାଉଥିଲା ସାଂସଦ ଟଙ୍କା?

୪ବର୍ଷରେ ସାଂସଦ ପାଣ୍ଠିରୁ ଯାଜପୁରକୁ ମିଳିଛି ୧୫ କୋଟି

ଯାଜପୁରକୁ ସାଂସଦ ପାଣ୍ଠିରୁ ଟଙ୍କା ଦେଉଥିଲେ ୧୧ ସାଂସଦ। ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଛନ୍ତି ୧୧ ସାଂସଦ । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତଙ୍କ ସାଂସଦ ପାଣ୍ଠି ଗୁମର ଖୋଲା ପରେ ଏବେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ଚର୍ଚ୍ଚା ହେଉଛି କ୍ଷମତା କେନ୍ଦ୍ରରେ ଥିବାବେଳେ ଏମାନେ ବି କୁଆଡ଼େ ବବିଙ୍କ ଚାପରେ ଭେଟି ଦେଉଥିଲେ ସାଂସଦ ପାଣ୍ଠି । ଯାଜପୁର ଡେପୁଟି ଡାଇରେକ୍ଟର ପ୍ଲାନିଂଙ୍କ ସୂଚନା ଅନୁଯାୟୀ, 2019ରୁ 24 ଯାଏଁ 141ଟି ପ୍ରକଳ୍ପ ଲାଗି ଯାଜପୁର ଜିଲ୍ଲାକୁ ଆସିଛି 14 କୋଟି 82 ଲକ୍ଷ ଟଙ୍କାର ସାଂସଦ ପାଣ୍ଠି । ଯାହାକୁ ଦେଇଛନ୍ତି ମାନସ ମଙ୍ଗରାଜ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁବାସ ସିଂ. ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ବିଜେଡିର ତତ୍କାଳୀନ 11 ଜଣ ସାଂସଦ । ଦୁଇ ଦଫାରେ ଏକାକି ସସ୍ମିତ ପାତ୍ର ତାଙ୍କ ସାଂସଦ ପାଣ୍ଠିରୁ ଦେଇଛନ୍ତି 5 କୋଟି 2 ଲକ୍ଷ 50 ହଜାର ଟଙ୍କା ।

ମୌଳିକ ସମସ୍ୟାରେ ଜର୍ଜରିତ ରାଜ୍ୟର ଉପାନ୍ତ ଓ ଅଣବିକଶିତ ଅଞ୍ଚଳକୁ ଗୌଣ କରି କାହା ସ୍ୱାର୍ଥ ବା ଚାପରେ, ସାଂସଦ ମାନେ କେବଳ ଯାଜପୁରକୁ ଅଜାଡି ଦେଇଛନ୍ତି ସାଂସଦ ପାଣ୍ଠି । ତେବେ ବାକି ସାଂସଦ ମାନଙ୍କ ଉପରେ ବି କଣ ଥିଲା ସମାନ ଚାପ । ନା ଆନୁଗତ୍ୟ ପ୍ରଦର୍ଶନର ମାଧ୍ୟମ । ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *