ଭାଙ୍ଗିଯିବ କି ବିଜେଡି?

ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା?

ଭାଙ୍ଗିଯିବ କି ବିଜେଡି? ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା? ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଏଦିଗକୁ ଅଧିକ ଇଙ୍ଗିତ କରିଛି। ଗତକାଲି ନିଜ ଦଳର ନେତାଙ୍କୁ ଏକଜୁଟ୍ ହୋଇ ରହିବାକୁ ନିବେଦନ କରିଛନ୍ତି ନବୀନ। ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ହେଲେ ନବୀନଙ୍କୁ ଏଭଳି କାହିଁକି କହିବାକୁ ପଡ଼ିଲା? ବିଜେଡି ନେତାମାନେ କଣ ଦଳ ଛାଡ଼ିବା ନେଇ କିଛି ଆଭାସ ପାଇଛନ୍ତି କି ନବୀନ? ନା ଦଳ ଭାଙ୍ଗିଯିବା ନେଇ ଭୟ ଘାରିଛି? ଏବେ ଏସବୁକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏଭଳି ଆଶଙ୍କା ଭିତରେ ବିଜେଡି ସୁପ୍ରିମୋଙ୍କୁ ଭେଟିବାରେ ଲାଗିଛନ୍ତି ବିଭିନ୍ନ ଅଞ୍ଚଳର ନେତା। ଗତକାଲି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କେନ୍ଦୁଝରର ନେତା ଧନୁର୍ଯ୍ୟୟ ସିଦ୍ଧୁ, ପଟାଙ୍ଗିର ପୂର୍ବତନ ବିଧାୟ ପୀତମ ପାଢୀ ପ୍ରମୁଖ ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟି ଆଲୋଚନା କରିଥିଲେ। ସେହିଭଳି ଗଞ୍ଜାମ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକ ଲତିକା ପ୍ରଧାନ ମଧ୍ୟ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି। ତେଣୁ ଚର୍ଚ୍ଚା ହେଉଛି, ବିଜେଡି ସଂଗଠନ କାଳେ ଦୁର୍ବଳ ହୋଇପଡ଼ିବ, ସେଥିପାଇଁ ବିଜେଡି ସୁପ୍ରମୋ ଜଣଙ୍କ ପରେ ଜଣେ ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି।