ବିରୋଧୀଙ୍କ ଟାର୍ଗେଟରେ ପାଣ୍ଡିଆନ

5-T ସଚିବଙ୍କ ଗସ୍ତକୁ ନେଇ ରାଜନୀତି

ବିରୋଧୀଙ୍କ ଟାର୍ଗେଟରେ ଏବେ ବିଜେଡି ସୁପ୍ରିମୋ ନୁହଁନ୍ତି । ଏବେ ଟାର୍ଗେଟରେ 5-T ସଚିବ ଭି.କେ ପାଣ୍ଡିଆନ । ରାଜ୍ୟର ବିଭିନ୍ନ ସ୍ଥାନକୁ ସଚିବ ଏବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଗସ୍ତ କରୁଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଗୋଟିଏ ପରେ ଗୋଟିଏ ବିରୋଧୀ ଏହାକୁ ଟାର୍ଗେଟ କରୁଛନ୍ତି । ସାଂସଦ ଅପରାଜିତାଙ୍କ ପରେ ପୁଣି ବିସ୍ଫୋରକ ବୟାନ ରଖିଲେ ବିଜେପି ନେତା ପ୍ରଦୀପ ପୁରୋହିତ । 5-T ସଚିବଙ୍କୁ କଲେ ଜୋରଦାର ଟାର୍ଗେଟ୍ । ପଶ୍ଚିମ ଓଡିଶାର ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ 5-T ସଚିବଙ୍କୁ ଟାର୍ଗେଟ କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଓଡିଶାର ଲୋକମାନେ ବିଜେଡି, ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନକୁ ଭୋଟ ଦେଇଥିଲେ । ହେଲେ ରାଜ୍ୟରେ ଏବେ କିନ୍ତୁ ରାଜନୈତିକ ପରିବର୍ତ୍ତନ ହୋଇଛି । ଲୋକମାନେ 5-T ସଚିବଙ୍କୁ ଭୋଟ ଦେଇନାହାନ୍ତି, ସେ ଜଣେ ସରକାରୀ ଅଧିକାରୀ । ହେଲେ ଓଡିଶାରେ ଏବେ କିନ୍ତୁ ଶାସନର ମୁଖ୍ୟ ହିସାବରେ ଚେହେରା ହେଉଛି 5-T ସଚିବଙ୍କର । ସେଥିପାଇଁ ବିଜେପି ବିରୋଧ କରୁଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।