ଆଜି ଜାତୀୟ କ୍ରୀଡା ଦିବସ
ଆଜି ଜାତୀୟ କ୍ରୀଡା ଦିବସ । ଇତିହାସରେ ସର୍ବଶ୍ରେଷ୍ଠ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଭାରତୀୟ ତଥା ବିଶ୍ବ ହକିରେ ଧ୍ୟାନଚାନ୍ଦ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ବ । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲା ଭାରତୀୟ ହକି ଟିମ୍ । ଧ୍ୟାନ ଚାନ୍ଦ ଆହ୍ଲାବାଦରେ ୨୯ ଅଗଷ୍ଟ ୧୯୦୫ ରେ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୫୬ ମସିହା ଅଗଷ୍ଟ ୨୯ ତାରିଖରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ଏକମାତ୍ର ଖେଳାଳି ଭାବେ ତାଙ୍କ ସମ୍ମାନର୍ଥେ ସ୍ମରଣୀୟ ଡାକ ଷ୍ଟାମ୍ପ ଓ କଭର୍ ଜାରି ହୋଇଛି ।