ମନ୍ତ୍ରୀ ପଦ ଛାଡି ବାଚସ୍ପତି ହେଲେ ନରେନ୍ଦ୍ର ସିଂ ତୋମାର

ଶିବରାଜ ସିଂହଙ୍କୁ କ୍ୟାବିନେଟରେ ଥଇଥାନ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଥଇଥାନ ପାଇଁ କେନ୍ଦ୍ର କ୍ୟାବିନେଟର ଏକ ଛୋଟକାଟିଆ ସମ୍ପ୍ରସାରଣ ସମ୍ଭାବନା ରହିଛି । ମୋଦି କ୍ୟାବିନେଟରେ କୃଷିମନ୍ତ୍ରୀ ଥିବା ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଏଭଳି ପରିସ୍ଥିତିରେ ଶିବରାଜଙ୍କୁ କୃଷି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଚୌହାନଙ୍କ ସହ ବିଜେପି ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବିଷ୍ଣୁ ଦତ୍ତ ଶର୍ମାଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ କରାଯାଇପାରେ । ବିଧାନସଭା ନିର୍ବାଚନରେ ଶର୍ମାଙ୍କ ଦକ୍ଷ ପରିଚାଳନାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଖୁସି ଅଛନ୍ତି । ମୋଦି କ୍ୟାବିନେଟରୁ ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ବିଭିନ୍ନ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ତୋମାରଙ୍କୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି କରାଯାଇଛି । ରାଜ୍ୟରେ ସାଢ଼େ ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନେତା ଶିବରାଜ ସିଂହ ଚୌହାନଙ୍କ ଥଇଥାନକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱ ଗମ୍ଭୀର ଅଛନ୍ତି। ଅନେକ ବର୍ଷ ଧରି କଳ୍ପନାଜଳ୍ପନା କରାଯାଉଥିଲା ଯେ ଚୌହାନଙ୍କୁ ମୋଦୀ କ୍ୟାବିନେଟରେ ନିଆଯାଇପାରେ, କିନ୍ତୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ ଦଳ ୟୁ ଟର୍ଣ୍ଣ ନେଇଥିଲା ଓ ମଧ୍ୟପ୍ରଦେଶରେ ହିଁ ତାଙ୍କୁ ରଖାଯାଇଥିଲା ।