ହାତ ଧରିଲେ ଜୟରାମ

ଗଡ଼ିଲାନି କାର୍, ହାତ ଭରସାରେ ଜୟରାମ ପାଙ୍ଗୀ

କଂଗ୍ରେସରେ ଯୋଗ ଦେଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଭୁବନେଶ୍ୱର କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଜୟରାମ ପାଙ୍ଗୀ କହିଛନ୍ତି ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି ସରକାରକୁ କ୍ଷମତାଚ୍ୟୁତ କରିବାକୁ ସେ ଏହି ଦଳରେ ଯୋଗ ଦେଇଛନ୍ତି । ରାଜ୍ୟକୁ ବଞ୍ଚାଇବାକୁ ହେଲେ ଆସନ୍ତା ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡ଼ିବ ବୋଲି ସେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି । ଏହା ପୂର୍ବରୁ ଜୟରାମ ପାଙ୍ଗୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ବା BRSରେ ଥିଲେ। ତା’ ପୂର୍ବରୁ ସେ ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ। ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ବିଆରଏସ୍ ରାଜ୍ୟରେ ସକ୍ରିୟ ନହେବାରୁ ସେ କଂଗ୍ରେସରେ ଯୋଗଦେଇଛନ୍ତି ।