ମହାରାଷ୍ଟ୍ର ମହାନାଟକ
ମହାରାଷ୍ଟ୍ର ରାଜନୀତିର ମହାନାଟକ । ଉପ ମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ବାର ଶପଥ ନେବା ପରେ ବଢିଛି ରାଜନୈତିକ ବୟାନ ବାଜି । ପାଓ୍ବାର ପରିବାରରେ ପାଓ୍ବାର ପାଇଁ ଟଣା ଓଟରା । ପ୍ରେସ ମିଟ୍ ପରେ ପ୍ରେସମିଟ୍ କରି ଉଭୟ ଦାଦା ପୁତୁରା ଦୁହେଁ ଦୁହିଁକୁ ଆଟାକ କରିଛନ୍ତି । ବିଦ୍ରୋହୀ ‘ଏନ୍ସିପି’ ନେତା ଅଜିତ ପାୱାର୍ ଓ ଆଉ ୮ ଜଣ ବିଧାୟକ ଶପଥ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବାରୁ ‘ଏନ୍ସିପି’ ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍ ନାର୍ୱେକର୍ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନ୍ସିପି’ ମୁଖ୍ୟ ଶରଦ ପାୱାର୍ଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ଦଳ ନିର୍ବାଚନ କମିସନ୍କୁ ଭେଟି ଜଣାଇଛନ୍ତି । ଅଜିତ ପାୱାର୍ ଓ ଅନ୍ୟମାନଙ୍କୁ କଟାକ୍ଷ କରି ‘ଏନ୍ସିପି’ ସଭାପତି ଜୟନ୍ତ ପାଟିଲ୍ କହିଛନ୍ତି, ୯ଜଣ ବିଧାୟକଙ୍କୁ ନେଇ ଦଳ ହୋଇପାରିବ ନାହିଁ। ଶରଦ ପାୱାରଙ୍କ ନିର୍ଦେଶାନୁଯାୟୀ ଅଜିତଙ୍କ ସମେତ ‘ଏନ୍ସିପି’ର ୯ଜଣ ବିଦ୍ରୋହୀଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଛି। ପ୍ରଥମେ ଇ-ମେଲ୍ ଓ ପରେ କାଗଜରେ ଲିଖିତ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଥିବା କଥା ପାଟିଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବାସଘାତକତା ପ୍ରମାଣ ହୋଇ ନ ଥିବାରୁ ‘ଏନ୍ସିପି’ର ଉକ୍ତ ବିଧାୟକମାନଙ୍କୁ ବିଶ୍ବାସଘାତକ ବୋଲି କୁହାଯାଇ ପାରିବ ନାହିଁ। ସେମାନଙ୍କ ମଧ୍ୟରେ କେତେଜଣ ଆମ ସହିତ ଯୋଗଯୋଗ ରଖିଛନ୍ତି।