ଖରାରୁ ନାହିଁ ନିସ୍ତାର । ଡହଡହ ଖରାରେ ଭାଜି ହେଉଛି ଓଡ଼ିଶା

ସାଢ଼େ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ଭୁବନେଶ୍ୱର

ଖରାରୁ ନାହିଁ ନିସ୍ତାର । ଡହଡହ ଖରାରେ ଭାଜି ହେଉଛି ଓଡ଼ିଶା । ଦିନ ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ରାଜଧାନୀ ତାପମାତ୍ର । ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ଥିବାବେଳେ, ବାଲେଶ୍ୱର ୩୯.୬, ଚାନ୍ଦବାଲି ୩୮.୭, ଝାରସୁଗୁଡ଼ା ୩୮.୪ ଡିଗ୍ରୀ, କେନ୍ଦୁଝର ୩୮ ଡିଗ୍ରୀ, ହୀରାକୁଦ ୩୭.୫, ରାଉରକେଲା ୩୭, ସମ୍ବଲପୁର ୩୬.୮, ଗୋପାଳପୁର ୩୫.୨, ପାରାଦୀପ ତାପମାତ୍ରା ୩୫ ଡିଗ୍ରୀରେ ପହଞ୍ଚିଛି ।
ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ୟ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ବୋଲ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୂଚନା ଅନୁସାରେ ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ପଶ୍ଚିମା ଝଡ଼ ପ୍ରଭାବ ଅପସରି ଯାଇଥିବାବେଳେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।