୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଆଜି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା । ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକାଂଶ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେପଟେ ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇ ୧୧ରେ ପହଞ୍ଚିଛି। ଜୁନ୍‌ ପହିଲାରୁ ଅଗଷ୍ଟ ୨୩ ମଧ୍ୟରେ ସ୍ବାଭାବିକ ଭାବେ ୮୩୧.୮ ମିମି ବର୍ଷା ହେବା କଥା । ମାତ୍ର ଏବେ ସୁଦ୍ଧା ୭୫୦ ମିମି ବର୍ଷା ହୋଇଛି । ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଥିବା ବେଳେ ଗୋଟିଏରେ ଅଧିକ ଓ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି । ୨ ଦିନ ପରେ ବର୍ଷା କମିବା ନେଇ ଆକଳନ କରାଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ହେବ । ମାତ୍ର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ । ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ସ୍ବାଭାବିକରୁ ଉତ୍ତରକୁ ଯାଇ ହିମାଳୟ ପାଦଦେଶରେ ରହିଛି ।