ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ଆଜିଠାରୁ ବିଧାନସଭା: ୨୮ରେ ଅତିରିକ୍ତ ବଜେଟ

ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେଉଛି। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୨୯ଟି କାର୍ଯ୍ୟଦିବସ ରହିଛି। ଗୁରୁବାର ପୂର୍ବାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆସିବ। ପରେ ଗୃହ ମୁଲତବୀ ରହିବ। ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ଅଧିବେଶନର ଦ୍ବିତୀୟ ଦିବସରେ ଅର୍ଥାତ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ବଜେଟ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇ ୮ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ପ୍ରତି ବର୍ଷ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି। ପୂର୍ବ ଦୁଇଟି ଅଧିବେଶନରେ ଗୃହ ୩୧ ଦିନ ଚାଲିସାରିଛି।ତେଣୁ ବ୍ୟବସ୍ଥା ଅନୁଯାୟୀ ଶୀତ ଅଧିବେଶନରେ ୨୯ ଦିନିଆ କ୍ୟାଲେଣ୍ଡର୍ କରାଯାଇଛି। କିନ୍ତୁ ଅତିରିକ୍ତ ବଜେଟ୍ ଗୃହୀତ ହେଲା ପରେ କେତେଦିନ ଗୃହ ଚାଲିବ, ତାହା ଉପରେ ସମସ୍ତଙ୍କର ନଜର ରହିବ। ଗତ ବର୍ଷ ମଧ୍ୟ ୧୬ ଦିନ ଆଗରୁ କୌଣସି ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ସାରିଦିଆଯାଇଥିଲା।