ଗିରଫ ହେବେ କି ଜୟନାରାୟଣ ?

କାହିଁକି ଆଗୁଆ ଜାମିନ ଆବେଦନ କଲେ ଜୟ ନାରାୟଣ ?

ବିରୋଧୀ ଦଳ ନେତାଙ୍କୁ ଘାରିଛି ଗିରଫ ହେବାର ଭୟ ! ଗିରଫ ହେବେ କି ଜୟନାରାୟଣ ! ହାଇକୋଟ ଗଲେ ଜୟନାରାୟଣ । ଆଗୁଆ କଲେ ଜାମିନ ଆବେଦନ । ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଦୁଇଟି ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଆବେଦନ କରିଥିବା ସୂଚନା ମିଳିଛି । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳୀନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ।

ସମ୍ବଲପୁର ଦୁର୍ଗାପାଲ୍ଲୀଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ । ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ । ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବ୍ରୁଆରୀରେ ମାମଲା ରୁଜୁ ହୋଇଥିଲା । ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚରାଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି ।ଉଭୟ ମାମଲାରେ ଆଗୁଆ ଜାମିନ ପାଇଁ ଜୟ ନାରାୟଣ ଗତକାଲି ଆବେଦନ କରିଥିବା ସ୍ପଷ୍ଟ ହୋଇଛି ।