କାହିଁକି କାଟିଲା ସମୀର ଦାଶଙ୍କ ଟିକେଟ, କାରଣ ଖୋଲି କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମୀର ଦାଶଙ୍କୁ ଟିକେଟ ଦେଇଥିଲେ ଦଳର ସମ୍ମାନହାନୀ ହୋଇଥାନ୍ତା: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କାହିଁକି କାଟିଲା ସମୀର ଦାଶଙ୍କ ଟିକେଟ । କାରଣ ଖୋଲି କହିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନିମାପଡ଼ାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ତେଜୁଛି ଅସନ୍ତୋଷ । କାହିଁକି ସମୀରଙ୍କୁ ଟିକେଟ ମିଳିଲାନି ନିମାପଡ଼ା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ଜନ ପ୍ରତିନିଧିଙ୍କୁ କହିଛନ୍ତି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗତ ୨୦ ତାରିଖରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଡକାଯାଇଥିଲା ଶଙ୍ଖ ଭବନ । ସେମାନଙ୍କୁ ଭର୍ଚୁଆଲ୍ ବାର୍ତ୍ତାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ସମୀର ଦାଶଙ୍କୁ ଦଳ ଟିକେଟ ଦେଇ ଥାଆନ୍ତା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିବା କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ ଭିଡିଓବାର୍ତ୍ତା ଉପରେ ସମୀର ଦାଶଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସେଦିନ ଶଙ୍ଖ ଭବନ ବୈଠକରେ ଉପସ୍ଥିତ ଥିଲେ ସମୀରଙ୍କ ସମର୍ଥକ ତିନି ଜଣ ଜିଲ୍ଲା ପରିଷଦ ସଭ୍ୟ, କିଛି ସରପଞ୍ଚ ଓ ସମିତିସଭ୍ୟ । ସେହିପରି ଟିକେଟ କଟିବା ପରେ ନିମାପଡାରେ ପାୱାର ସୋ କରିଥିଲେ ସମୀର । ସୂଚନା ଅନୁସାରେ ଏପ୍ରିଲ୍‌ ୧୭ରେ ବିଜେଡି ଘୋଷଣା କରିଥିଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ତେବେ ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍‌ କାଟିଥିଲା । ସମୀରଙ୍କ ବଦଳରେ ଦଳ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ଏପ୍ରିଲ୍‌ ୧୮ରେ ସମର୍ଥକଙ୍କୁ ନେଇ ମେଳି କରିଥିଲେ ସମୀର । ନିମାପଡ଼ାରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଥିଲେ । ନିମାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ ସମୀର । ତେବେ ସେହି ବୈଠକରେ ଟିକେଟ୍ କଟିବାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ ସମୀର । ଶନିବାର ଦିନ ନିଜ ସମର୍ଥକଙ୍କ ସହ ଏକାଠି ହୋଇ ଏନେଇ ଦାବି ଜଣାଇବେ ବୋଲି ସେଦିନ କହିଥିଲେ ସମୀର ଦାଶ ।