‘ସଚିବଙ୍କୁ କହିଲେ ବିଜେଡିକୁ କାହିଁକି ବାଧୁଛି’ ?

ସୌମ୍ୟଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ହଇଚଇ !

ସତ କହି ଫସିଗଲେକି ସୌମ୍ଯରଞ୍ଜନ ପଟ୍ଟନାୟକ ? 5T ସଚିବଙ୍କୁ ସମାଲୋଚନା ପଡିଲାକି ମହଙ୍ଗା ? ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ ? ସଚିବଙ୍କୁ ନେଇ ମୁହଁ ଖୋଲିଲେ , ଏବେ ଦଳରୁ ପଦବୀ ହରାଇଲେ ! ବିଜେଡି ଉପସଭାପତି ପଦବୀ ହରାଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକ ସୌମ୍ୟଙ୍କ ପଦବୀ ଯିବାନେଇ ଏବେ ସରଗରମ ହୋଇଛି ରାଜ୍ୟରାଜନୀତି । ତେବେ କିଛିଦିନ ତଳେ ସୌମ୍ୟଙ୍କ ନିଜ ସମ୍ପାଦକୀୟ ପୃଷ୍ଠା ଆମଘର ହାଲଚାଲରେ ସଚିବଙ୍କ ଗସ୍ତକୁ ନେଇ ହୋଇଥିବା ଅଲେଖ୍ୟରୁ ହିଁ ଆରମ୍ଭ ହୁଏ କାହାଣୀ । ସଚିବଙ୍କ ଗସ୍ତକୁ ବିରୋଧ କରି ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାନ୍ତି ସୌମ୍ୟ । ଯାହାକୁ ସହଜରେ ହଜମ କରିପାରେନି ବିଜେଡି । ବିଜେଡିର କିଛି ଟାଣୁଆ ନେତା ଗଣମାଧ୍ୟମ ସମ୍ମୁଖରେ ସୌମ୍ୟଙ୍କ ଅଲେଖ୍ୟକୁ ମଧ୍ୟ ବିରୋଧ କରନ୍ତି । ଆଉ ଆଜି ହଠାତ ସୌମ୍ୟଙ୍କୁ ବିଜେଡି ଉପସଭାପତି ପଦବୀରୁ ବହିଷ୍କାର କରାଯାଏ। ଏହି ଘଟଣା ରାଜ୍ୟରାଜନୀତିକୁ ଏକ ନୂଆ ଖୋରାକ ଦେଇଥିବା ବେଳେ ପୁରା ପ୍ରସଙ୍ଗଙ୍କୁ ଚର୍ଚ୍ଚାକୁ ଆଣିଛି ।

ସୌମ୍ୟଙ୍କ ସପକ୍ଷରେ ଅନେକ ବିରୋଧିଦଳ ନେତା ମତ ରଖିଥିବା ଦେଖିବାକୁ ମିଳିଛି । ଜଣେ ସଚିବଙ୍କୁ କହିଲେ ଦଳକୁ କାହିଁକି ବାଧୂଛି ବୋଲି ଉଠିଛି ବଡ ପ୍ରଶ୍ନବାଚୀ । ତେବେ ଉପସଭାପତି ପଦବୀରୁ ହଟିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଉ କହିଛନ୍ତି ଦଳୀୟ ସଭାପତି କାହାକୁ ରଖିବେ ସେଟା ତାଙ୍କ ନିଷ୍ପତ୍ତି । ଉପସଭାପତି ପଦରୁ ଯିବା କିଛି ହରାଇବା ଭଳି ମନେ ହେଉନି । ଭେଟିବାକୁ ସମୟ ମାଗିଥିଲି ହଲେ ମିଳିଲା ନାହିଁ । ଏହି ନିର୍ଦେଶନାମାକୁ ନେଇ ସନ୍ଦେହ ଲାଗୁଛି । ଏଥିରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଛନ୍ତି କି ନାହିଁ ତାହା ସନ୍ଦେହ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ସେନେଇ ସନ୍ଦେହ ଲାଗୁଥିବା ମଧ୍ୟ କହିଛନ୍ତି ସୌମ୍ଯରଞ୍ଜନ ପଟ୍ଟନାୟକ । ଗତ ତିନିଦିନ ଧରି ଚାଲିଲା ରାଜନୈତିକ ବୟାନବାଜି । ଆଉ ହଠାତ ବିନା କାରଣଦର୍ଶାଅ ନୋଟିସରେ ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଯାହା ପୁରା ରାଜନୀତିକୁ ହଇଚଇ କରିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ବିଜେଡିରେ ସୌମ୍ୟଙ୍କ ସମୀକରଣ କେଉଁ ରେଜଲ୍ଟ ଦେଉଛି ।